ଟିକାକରଣ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି

ଦେବଗଡ଼,ଏନ୍ଏନ୍ଏସ୍: କୋଭିଡ-୧୯ ଟିକାକରଣ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିର ଏକ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ବୈଠକରେ ଏସପି ମନୋଜ କୁମାର ମହନ୍ତ, ଡା. ବଂଶୀଧର ପାତ୍ରଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଈ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣପ୍ରଭା ବିଶ୍ୱାସ, ଜିଲ୍ଲା କ୍ରୀଡା ଅଧିକାରୀ ଶଙ୍କର ପ୍ରସାଦ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଦେବଗଡ଼ ପୌରପରିଷଦର ସିଏମଏମ୍ ଅବିନାଶ ମିଶ୍ର ଓ ସପୋର୍ଟ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଯୋଗଦେଇ ଥିଲେ। ଜାନୁୟାରୀ ୧୬ ତାରିଖ ଦିନ ଜିଲ୍ଲାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉପାଧ୍ୟାୟ ସୂଚନା ଦେଇଥିଲେ। ଟିକାକରଣ ନିମନ୍ତେ ଜିଲ୍ଲାରେ ୧୧ଟି ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ବାରକୋଟ ବ୍ଲକରେ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବମପରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କଣ୍ଢଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କଣ୍ଟାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ରିଆମାଳ ବ୍ଲକରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବୁଢାପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୁଣ୍ଢେଇଗୋଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ତିଲେଇବଣି ବ୍ଲକରେ ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଲଇମୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କଂସର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ସଦର ଡାକ୍ତରଖାନାରେ ଟିକାକରଣ କେନ୍ଦ୍ର ଖୋଲାଯିବ। ସରକାରଙ୍କ ନିଷ୍ପତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିରେ ରହିଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ଟିକାକରଣ ପାଇଁ ପୂର୍ବରୁ ରେଜିଷ୍ଟ୍ରେସନ କରାଯାଇଛି ଏବଂ ଯେଉଁମାନଙ୍କୁ ଟିକା ପ୍ରଦାନ କରାଯିବ ସେମାନଙ୍କ ବ୍ୟକ୍ତିଗତ ମୋବାଇଲରେ ଏସଏମଏସ ମାଧ୍ୟମରେ ଟିକାକରଣ ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ଦିଆଯିବ।

ଏହି ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରପାଇଁ ୫ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ଟିକାକରଣ ସମୟରେ କୌଣସି ପ୍ରକାର ପାଶ୍ୱପ୍ରତିକ୍ରିୟା ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣେଜଣେ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଗୋଟିଏ ଗୋଟିଏ ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଏବଂ ନିରୀକ୍ଷଣ କକ୍ଷ ରହିବ । ଟିକା ନେବାକୁ ଥିବା ବ୍ୟକ୍ତିଙ୍କର ପରିଚୟ ସମ୍ବନ୍ଧୀୟ ଯାଂଚ ପରେ ତାଙ୍କୁ ଟୀକା ପ୍ରଦାନ କରାଯାଇ କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ନିରୀକ୍ଷଣ ନିମନ୍ତେ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ରଖାଯିବ। ଟିକାକରଣ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହିତ ଜିଲ୍ଲା ସଦର ଡାକ୍ତରଖାନା ଓ ବ୍ଲକରେ ମଧ୍ୟ କଂଟ୍ରୋଲ ରୁମ ଖୋଲାଯିବ। ଡେପୁଟି ମ୍ୟାନେଜର ଆରସିଏଚ ଜ୍ୟୋସ୍ନାରାଣୀ ଶର୍ମା ପାୱାର ପଏଣ୍ଟ ମାଧ୍ୟମରେ ଟିକାକରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିବାବେଳେ ଡିପିଏମ ଉମେଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।