ପରୀକ୍ଷା ସେଣ୍ଟର ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ

ଦେବଗଡ଼, ଏନ୍ଏନ୍ଏସ୍: ଆସନ୍ତା ୯ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାକୁ ନେଇ ଦେଖାଦେଇଛି ଦ୍ୱନ୍ଦ । ସେଣ୍ଟର ନଥିବା ସ୍ଥାନରେ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡରେ ଉଲ୍ଲେଖ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦେବଗଡ଼ ଜିଲ୍ଲାରେ ଏହି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୬ଟି ସ୍ଥାନରେ ସେଣ୍ଟର କରିଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇଥିଲେ । ସେଗୁଡିକ ହେଲା ରାଜା ବାସୁଦେବ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ଟାଉନ ହାଇସ୍କୁଲ, +୩ ମହିଳା ମହାବିଦ୍ୟାଳୟ ଓ ଦେବଗଡ଼ ମହାବିଦ୍ୟାଳୟ ଥିବାବେଳେ ନୋଡାଲ ସେଣ୍ଟର ଭାବେ ରାଜା ବାସୁଦେବ ହାଇସ୍କୁଲ ଥିବାଜଣାପଡ଼ିଛି । ହେଲେ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିବା ପରେ ଅନେକଙ୍କ ଆଡମିଟ୍ କାର୍ଡରେ କୋଡ୍ ନମ୍ୱର ୦୮୦୫ ସହ ସେଣ୍ଟର ଡିଆଇଇଟି ଦେବଗଡ଼ ବୋଲି ଉଲ୍ଲେଖ ରହିଛି । ତେବେ ଉକ୍ତ ବିଦ୍ୟାଳୟରେ ସେଣ୍ଟର କରିନଥିବା ବେଳେ ଆଡମିଟ କାର୍ଡରେ ଏହା ଥିବାରୁ ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହିଛନ୍ତି। ମାତ୍ର ଆଡମିଟ କାର୍ଡରେ ଥିବା କୋର୍ଡଟି ଦେବଗଡ଼ କଲେଜର ରହିଛି। ତେବେ ଛାତ୍ରଛାତ୍ରୀମାନେ କେଉଁ ସେଣ୍ଟରରେ ପରୀକ୍ଷା ଦେବେ ସେନେଇ ଚିନ୍ତିତ । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେସୁଦ୍ଧା ସମ୍ଭବ ହୋଇପାରିନାହିଁ । ଏହିଦ୍ୱନ୍ଦ ପ୍ରତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦୃଷ୍ଟି ଦେଇ ଛାତ୍ର ଛାତ୍ରୀଙ୍କୁ ଚାପ ମୁକ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।