କନ୍ୟା କିରଣ ଅଭିଯାନ ପକ୍ଷରୁ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ କଲିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡ୍ରଷ୍ଟିଆଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଆରମ୍ଭ କରାଯାଇଥିବା “କନ୍ୟା କିରଣ’ ଅଭିଯାନ ପକ୍ଷରୁ ଆଜି ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଅବସରରେ ସ୍ଥାନୀୟ ଟାଉନ ହଲଠାରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ବାଲ୍ୟ ବିବାହ, ନାରୀ ସୁରକ୍ଷା, ଓ ମହିଳାଙ୍କ ସମାନତା ଦିଗରେ ଆଇନ ବ୍ୟବସ୍ଥା ସମ୍ପର୍କରେ ପ୍ରତିଟି ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ “ମୁଁ ପଢ଼ିବି -ମୁଁ ବଢ଼ିବି ବିଷୟ ବସ୍ତୁ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରୋଜାଲିନ କେର୍କେଟା, ବାରକୋଟ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣା ମିଶ୍ର ଓ ତିଲେଇବଣି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନବି ରାୟ ମଞ୍ଚାସିନ ଥିଲେ। ଡ. ସୁରେନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ କୀର୍ତ୍ତନ କୁଁଅର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।