ନୁପୁର ନୃତ୍ୟ ସଂଗୀତ ଉତ୍ସବ ଉଦଘାଟିତ

ଦେବଗଡ଼,ଏନ୍ଏନ୍ଏସ୍ : ରୂମକୁ ଝୁମାନା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତ ବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ନୁପୁର ନୃତ୍ୟ ସଂଗୀତ ଉତ୍ସବ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ନିବେଦିତା ନାୟକ ଓ ରାଜ୍ୟ ସମ୍ପାଦକ ସରୋଜ କୁମାର ଭୂୟାଁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସାଂସ୍କୃତିକ ମଞ୍ଚ ଉଦଘାଟନ କାର୍ୟ୍ୟକ୍ରମରେ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମଞ୍ଚ ଉଦଘାଟନ କରିଥିଲେ ।

ଅପରାହ୍ନରେ ଉତ୍ସବରେ ଅଂଶ ଗ୍ରହଣ କରିଥିବା କଳାକାର ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଏକ ସାଂସ୍କୃତିକ ଶୋଭା ଯାତ୍ରା ନଗର ପରିକ୍ରମା କରି କାର୍ୟ୍ୟକ୍ରମ ସ୍ଥଳୀକୁ ପହଂଚି ଥିଲା । ସନ୍ଧ୍ୟାରେ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅଙ୍କିତା ମହାନ୍ତିଙ୍କ ପରିଚାଳନାରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ କଳାକାରଙ୍କ ଦ୍ୱାରା ନୃତ୍ୟ ଓ ନୃତ୍ୟ ନାଟିକା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସଂଗୀତ ରେକର୍ଡ଼ିଂ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ପିଣ୍ଟୁ ମିଶ୍ରଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହସ୍ତ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ମହିଳା ଉଦ୍ୟୋଗୀ ସମ୍ବଲପୁର ଜିଲ୍ଲାର ମିତା ବେହେରାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।  ତେବେ କଳାକାରମାନଙ୍କ ଗଙ୍ଗା ଆଳତି ମଞ୍ଚରେ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା । ଆସନ୍ତା ଶନିବାର ଦିନ କାର୍ୟ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ଓଡ଼ିଆ ଚଳଚିତ୍ର ଜଗତର ଅନେକ କଳାକାର ଯୋଗଦେବେ ବୋଲି ଅନୁଷ୍ଠାନର ରାଜ୍ୟ ସମ୍ପାଦକ ସରୋଜ କୁମାର ଭୂୟାଁ ସୂଚନା ଦେଇଛନ୍ତି ।