ଲକଡାଉନ-୫ ଉଲ୍ଲଂଘନ ପରେ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

ଦେବଗଡ,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରାଯାଇଥିବା ବେଳେ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ଲକଡାଉନ – ୫ରେ ନିୟମ କୋହଳ କରାଯାଇଥିବାରୁ ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଦୂରତାକୁ ପାଳନ କରୁ ନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ’ ନେଉ ନାହିଁ ।

ଲକଡାଉନ ନିୟମ ପାଳନ ନକରି ପ୍ରତ୍ୟେକ ଦିନ ଏକାଧିକ ଜନସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିଲେ ହେଁ ସୁଧିରିବାର ନାଁ’ ନେଉ ନ ଥିବା ଦେଖିବାକୁ ମିଳୁଛି । କେତେ ବେଳେ ସାପ୍ତାହିକ ବଜାରରେ ଜନଗହଳି ତ କେତେବେଳେ ଗାଁ’ ମଣ୍ଡପ ଗୁଡିକରେ ଜନସାଧାରଣ ଗୋଟିଏ ସ୍ଥାନରେ ବସି ରହି ସାମାଜିକ ଦୂରତ୍ୱକୁ ଅଣଦେଖା କରୁଥିବା ଦେଖାଯାଉଛି ।

ଏହି କ୍ରମରେ ଆଜି ଦେବଗଡ ସହରରେ ଥିବା ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ସହ ଚା, ଜଳଖିଆ, ଗୁପଚୁପ ଓ ଉଠା ଦୋକାନ ଗୁଡିକରେ ସାମାଜିକ ଦୂରତାକୁ ଅଣଦେଖା କରାଯିବା ସହ ଲକଡାଉନ – ୫ରେ କୋହଳ କରାଯାଇଥିବା ନିୟମ ଉଲ୍ଲଘନ କରୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଆକ୍ସନ ମୁଡକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା।

ଖୋଦ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପୁଲିସ ଫୋର୍ସ ସହ ମୁଖ୍ୟ ବଜାର ସମେତ ବିଭିନ୍ନ ଜନଗହଳି ଅଂଚଳରେ ବୁଲି ଖୋଲାରେ ଖାଦ୍ୟ ବିକ୍ରୀ କରୁଥିବା ଉଠାଦୋକାନୀ,ଗୁପଚୁପ ଠେଲା ଗୁଡିକୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଥିଲେ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରର ବିଭିନ୍ନ ଅଂଚଳରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେହିପରି ସନ୍ଧ୍ୟା ୭ ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ ଉପଜିଲ୍ଲାପାଳ ଓ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଆସନ୍ତା କାଲି ଠାରୁ ଯଦି କୈାଣସି ବ୍ୟବସାୟୀ ସାମାଜିକ ଦୂରତା ନିୟମ ଠିକ ଭାବେ ପାଳନ ନ କଲେ ସେମାନଙ୍କ ଦୋକାନ ସିଲ ପାଇଁ ଜିଲ୍ଲାପାଳ ଶ୍ରୀ ସାମଲ କଡା ନିର୍ଦ୍ଦେଶ ଦେବା ସହ ଅମାନିଆଙ୍କ ବିରୁଦ୍ଧରେ ସଂପୂର୍ଣ୍ଣ ଜିଲ୍ଲାପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡିଛି ।