ଦେବଗଡ ,ଏନ୍ଏନ୍ଏସ୍ : ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମର ଗ୍ରାମ୍ୟ ସଭାପତିଙ୍କୁ ରିଆମାଳ ଥାନା ଅଧିକାରୀ ବେଆଇନ ଭାବେ ଅଟକ ରଖିବା ସହ ଥାନାରୁ ଖଲାସ ପାଇଁ ମୋଟା ଅଙ୍କର ଅର୍ଥ ଦାବୀ କରୁଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଆଜି ସଂନ୍ଧ୍ୟାରେ ଦେବଗଡ ରାଜା ତଥା ସମ୍ବଲପୁର ଲୋକସଭା ଆସନ ସାଂସଦ ନିତେଶ ଗଙ୍ଗଦେବଙ୍କ ରାଜ ପ୍ରସାଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୀଡିତ ବ୍ୟକ୍ତିଙ୍କ ସ୍ତ୍ରୀ ସମେତ ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀ ,ରିଆମାଳ ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟା କନକ ମଞ୍ଜରୀ ପ୍ରଧାନ ଓ ଜୋନ -୨ ଜିଲ୍ଲା ପରିଷଦ ସଦସ୍ୟା ନିଶାନୀ ବେହେରା ପ୍ରମୁଖ ଉପସ୍ଥିତ ରହି ରିଆମାଳ ଥାନା ଅଧିକାରୀ ପ୍ରଦୀପ କେରକେଟାଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା ଅଧିକାରୀ ଶ୍ରୀ କେରକେଟା ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଇଶାରାରେ ଥାନା ଚଲାଉଥିବା ବେଳେ ବିଧାୟକ ଅନୁଗତଙ୍କ ପ୍ରରୋଚନାରେ ରିଆମାଳ ଅଂଚଳର ନିରୀହ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି। ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମର ଗ୍ରାମ୍ୟ ସଭାପତି ଡିଲେଶ୍ୱର ସାହୁ ଗତ ଶନିବାର ଦିନ ନିଜ ଘର ସମ୍ମୁଖରେ ଘର କାମ ପାଇଁ ବାଲି ପକାଇ ଘର ଭିତରକୁ ବୋହି ନେଉଥିବାବେଳେ ଉକ୍ତ ଗ୍ରାମର ଅନ୍ୟ ପଚାଂୟତରେ କାର୍ଯ୍ୟରତ ଥିବା ପି ଇ ଓ ତଥା ବିଧାୟକଙ୍କ ଅନୁଗତ ଭାଗିରଥି ପ୍ରଧାନ ଉକ୍ତ ସମୟରେ ସେହି ରାସ୍ତା ଦେଇ ଯାଉଥିବାବେଳେ ବାଲି ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ରିଆମାଳ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇ ରିଆମାଳ ଥାନା ପୁଲିୁସ ଉକ୍ତ ଗ୍ରାମକୁ ଆସି ବାଲି ବୋହୁଥିବା ଡିଲେଶ୍ୱରଙ୍କୁ ଥାନାକୁ ନେଇ ଯାଇଥିଲେ। ତାଙ୍କୁ ନେବାର ୭୨ ଘଂଟା ପରେ ମଧ୍ୟ ବେଆଇନ ଭାବେ ଥାନାରେ ଅଟକ ରଖିଥିବା ଯୋଗୁଁ ତାଙ୍କ ପରିବାର ଲୋକେ ତାଙ୍କୁ ଥାନାରୁ ଛାଡିବାକୁ ଅନୁରୋଧ କରିବାରୁ ଥାନା ଅଧିକାରୀ ଶ୍ରୀ କେରକେଟା ୬୦ ହଜାର ଟଙ୍କା ଦାବୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ପୀଡିତଙ୍କ ସ୍ତ୍ରୀ ସବିତା ସାହୁ ଅଭିଯୋଗ କରିଥିଲେ। ସେହିପରି ତାଙ୍କ ସ୍ୱାମୀଙ୍କୁ ଥାନାରେ ଖାଦ୍ୟ ଦିଆଯାଉ ନ ଥିବା ବେଳେ ଘରୁ ରନ୍ଧା ଖାଦ୍ୟ ଓ ଔଷଧ ନେଲେ ମଧ୍ୟ ତାଙ୍କୁ ସାକ୍ଷାତ ପାଇଁ ଛାଡୁ ନ ଥିବା ଅଭିଯୋଗ କରିଥିଲେ ।
ଥାନା ଅଧିକାରୀଙ୍କ ଏଭଳି ବର୍ବରତାକୁ ନିନ୍ଦା କରିବା ସହ ରିଆମାଳ ଥାନାଚଂଳରେ ବିଗତ କିଛି ଦିନ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଓ ଡକାୟତି ଭଳି ମାମଲା ହୋଇଥିଲେ ମଧ୍ୟ ରିଆମାଳ ଥାନା ଅଧିକାରୀ ଅଭିଯୁକ୍ତଙ୍କ ସହ ମିଶି ଅଭିଯୋଗ କାରୀଙ୍କୁ ନିର୍ଯ୍ୟାତନା ଦେବା ଯୋଗୁଁ ତାଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ହାତି , ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରଧାନ ଓ ଶ୍ରୀମତୀ ବେହେରା ରିଆମାଳ ଥାନାରୁ ଥାନା ଅଧିକାରୀ ଶ୍ରୀ କେରକେଟାଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଉକ୍ତ ବୁଡିଦୋ ଗ୍ରାମର ବହୁ ମହିଳା ଓ ପୁରୁଷ ଗ୍ରାମବାସୀ ଉପସ୍ଥିତ ଥିଲେ।