ଦେବଗଡ,ଏନ୍ଏନ୍ଏସ୍ : ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବା ବେଳେ ଦେବଗଡ ଜିଲ୍ଲାରେ ଗତକାଲି ୨୨ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବାପରେ ଦେବଗଡ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ଏହା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ତଥା ସାମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ଆଜି ତିଲେଇବଣୀ ବ୍ଲକ ଅନ୍ତର୍ଗତ ସଢୋ ପଚାଂୟତ ,ଡଙ୍ଗାପଥର (ପଟେଲପଡା) ଓ କଂସର ପଂଚସାୟତର କଂସର କଲେଜ କ୍ୟାମ୍ପସ ଅଂଚଳରେ ଜିଲ୍ଲା ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ରାସ୍ତା ସିଲ କରିବା ସହ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରି ଉପରୋକ୍ତ ଗ୍ରାମ ଗୁଡିକରେ ଯିବା ଆସିବା ସଂପୂର୍ଣ୍ଣ ରୋକ ଲଗା ଯାଇଛି।
ସେହିପରି ଉପରୋକ୍ତ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। ଉପରୋକ୍ତ ଅଂଚଳ ଗୁଡିକରେ ରହୁଥିବା ଜନସାଧାରଣଙ୍କ ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତଙ୍କୁ ଉପରୋକ୍ତ ଅଂଚଳ ଗୁଡିକର ସାନିଟାଇଜେସନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦେବଗଡ ତହସିଲଦାର ପଲ୍ଲଭି ନାଏକଙ୍କୁ ଉପରୋକ୍ତ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି।
ସେହିପରି ସ୍ୱାସ୍ଥ୍ୟ ସମ୍ପର୍କୀତ ଦାୟିତ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝାଙ୍କୁ ପ୍ରଦାନ କରାଯାଇଛି। ତେବେ ସଂପୃକ୍ତ ଅଂଚଳର ସମସ୍ତ ଗତିବିଧିକୁ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ତଦାରଖ କରିବେ ବୋଲି ଜଣା ପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ଚିହ୍ନଟ ୨୨ ସଂକ୍ରମଣଙ୍କ ମଧ୍ୟରୁ କଂସର ଓ ସଢୋ ଅଂଚଳର ଜଣେ ଆଶା କର୍ମୀ ,ଜଣେ ଶିକ୍ଷକ ଓ ଜଣେ ସ୍ଥାନୀୟ ନେତା କରୋନା ସଂକ୍ରମିତ ଥିବାରୁ ଅନ୍ୟ କାହା ସମ୍ପର୍କରେ ଆସିଥିବା କାରଣରୁ ଉପରୋକ୍ତ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟେନମେଂଟଣ୍ଟଅଂଚଳ ଘୋଷଣା କରାଯାଇଛି।