ନିଖୋଜ ନାବଳକ ଦେବଗଡରୁ ଉଦ୍ଧାର

ଦେବଗଡ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ବହ୍ମଗିରି ବ୍ଲକ ଖଇରିଆ ପଂଚାୟତର ଜଣେ ୧୫ ବର୍ଷିୟ ନାବାଳକ ନିଖୋଜ ହେବାର ୪ ମାସ ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ବାରକୋଟ ବ୍ଲକ ବୁଢାବାହାଲ ଗ୍ରାମରୁ ଉଦ୍ଧାର ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ପ୍ରାୟ ୪ ମାସ ପୂର୍ବେ ନିଖୋଜ ନାବାଳକ ଜଣକ ପୁରୀ ରେଳଷ୍ଟେସନରୁ ଏକ ଟ୍ରେନରେ ଚଢି ଚେନ୍ନାଇ ଅଭିମୁଖେ ବାହାରିଥିଲା। ତେବେ ସେ ବିଶାଖାପାଟନମ ଷ୍ଟେସନରେ ଓହ୍ଲାଇପଡି ଖାଇବା ପାଇଁ ଏଣେ ତେଣେ ଘୁରି ବୁଲୁଥିଲା। ତେବେ ଗତ ମାର୍ଚ୍ଚ ମାସରେ ଲକଡାଉନ ପୂର୍ବରୁ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ ଜିଲ୍ଲା ବୁଢାବାହାଲ ଗ୍ରାମର କୁନି ଦେହୁରୀ ଓ ଅନ୍ୟ କିଛି ମହିଳା ଶ୍ରମିକ ନାଗାବଳୀ ଏକ୍ସପ୍ରେସ ଟ୍ରେନରେ ଫେରୁଥିବା ସମୟରେ ବିଶାଖାପାଟନମ ଷ୍ଟେସନରେ ବିଶ୍ରାମ କରୁଥିବା ସମୟରେ ଚଂଟୁ ନନ୍ଦ ନାମକ ନାବାଳକ ସେମାନଙ୍କ ନିକଟକୁ ଆସି ଓଡିଆ ବୋଲି ଜାଣି ପାରି କିଛି ଖାଦ୍ୟ ମାଗିବା ସହ ନିଜ ଅସୁବିଧା ସମ୍ପର୍କରେ ମହିଳାଙ୍କ ସମ୍ମୁଖରେ ପ୍ରକାଶ କରିଥିଲା।

ଫଳରେ ମହିଳାମାନେ ତାକୁ ଖାଦ୍ୟ ପାନୀୟ ଦେବା ସହ ନିଜ ସହ ଟ୍ରେନରେ ନିଜ ଗ୍ରାମ ବୁଢାବାହାଲକୁ ନେଇ ଆସିଥିଲେ। ଦୀର୍ଘ ୨ ମାସ ଧରି ବୁଢାବାହାଲ ଗ୍ରାମରେ ରହିବା ପରେ ନିଜ ପରିଚୟ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲା। ଏହି ନିରୁଦ୍ଧିଷ୍ଟ ନାବଳକ ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଶ୍ରୀ ନାୟକ ଦେବଗଡ ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଚାଇଲଡ ଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜଙ୍କ ସହ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ନାବାଳକକୁ ଉଦ୍ଧାର କରିଥିଲେ। ଚାଇଡଲାଇନ ପକ୍ଷରୁ ଉକ୍ତ ନାବାଳକକୁ ସିଡବ୍ଲ୍ୁସି ଅଧ୍ୟକ୍ଷ ଅତୁଲ୍ୟ ପୂଜାରୀଙ୍କ ନିକଟରେ ଉପସ୍ଥାପନ କରିବା ପରେ ତାଙ୍କ ନିର୍ଦ୍ଦେଶରେ ଦିଶା ଶିଶୁ ଗୃହରେ ଉକ୍ତ ନାବାଳକ ଆନୁଷ୍ଠାନିକ ଯତ୍ନ ପାଇଁ ରଖା ଯାଇଥିବା ଜଣାପଡିଛି। ନାବାଳକର ଅଭିଭାବକ ନଥିବାରୁ ତଦନ୍ତ ପରେ ନାବାଳକର ସଂପୂର୍ଣ୍ଣ ସୂଚନା ହସ୍ତଗତ ହେବା ପରେ ଆଇନସିଦ୍ଧ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନାମିଳିଛି ।