ଦେବଗଡ,ଏନ୍ଏନ୍ଏନ୍ : ଦେବଗଡ ବନଖଣ୍ଡ ରିଆମାଳ ରେଞ୍ଜ ଲକ୍ଷ୍ମୀପୁର ବିଟ ଅନ୍ତର୍ଗତ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବନ ବିଭାଗ କର୍ମଚାରୀମାନେ ଜଣେ ଶୀକାରୀକୁ କାବୁ କରିବା ସହ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୩ଟି ଜନ୍ତୁଧରା ଫାଶ ଜବତ କରିଛି । ବନବିଭାଗ ସୂତ୍ରରୁ ମିଳୀଥିବା ସୂଚନା ଅନୁଯାୟୀ, ଲକ ଡାଉନର ସୁଯୋଗ ନେଇ ଅନେକ ଗ୍ରାମରେ କେତେକ ବ୍ୟକ୍ତି ଜଙ୍ଗଲ ମଧ୍ୟରୁ ଜନ୍ତୁ ଶୀକାର ପାଇଁ ଉଦ୍ୟମ କରୁଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପଳସମା ସେକ୍ସନ ଅନ୍ତର୍ଗତ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂଗ ଆରମ୍ଭ କରିଥିଲେ । ଏହି ସମୟରେ ଉକ୍ତ ଜଙ୍ଗଲ ମଧ୍ୟର ଟିଙ୍କବିର ଗ୍ରାମର ରସାନନ୍ଦ ବେହେରାଙ୍କ ପୁଅ ବାବୁଲି ବେହେରା (୩୨) ଏକ ଦେଶୀ ବନ୍ଧୁକ ସହ ୩ଟି ଜନ୍ତୁଧରା ଫାଶ ଖଞ୍ଜୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ତାକୁ କାବୁ କରିବା ସହ ତା ନିକଟରୁ ଦେଶୀ ବନ୍ଧୁକ ସମେତ ଜନ୍ତୁ ଶୀକାର ପାଇଁ ବ୍ୟବହାର କରୁଥିବା ୩ଟି ଫାଶକୁ ଜବତ କରି ଘଟଣାର ଅଧିକ ତଦନ୍ତ ଯାରି ରଖିଥିବା ଜଣା ପଡିଛି ।