ଡିଇଓଙ୍କୁ କରୋନା କଟକଣା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, କେରଳ ସମେତ ଆଉ କେତେକ ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ହୋଇଛି। ତେଣୁ ଓଡ଼ିଶାରେ ବି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ିବାର ଆଶଙ୍କା ହେବା ପରେ ପ୍ରଶାସନ ଚିନ୍ତା ବଢ଼ିଯାଇଛି। କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା ବେଳେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଥିବାରୁ ସେଠାରେ କିଭଳି କରୋନା କଟକଣା ପାଳନ ହୋଇପାରିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌-୧୯ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଡିଇଓମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଦେଶରେ ଦେଖାଦେଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉ। ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଡିଇଓଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କ୍ୟାମ୍ପସରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ପାଠପଢ଼ା ସହ କ୍ୟାମ୍ପସ୍‌ରେ ଆଉ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଯେଉଁମାନେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରିବେ ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନକୁ ଗୁରୁତର ସହ ନିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।