ସ୍ଥିତି ଅଣାୟତ୍ତ: ଦିନକରେ ୫୮ ଡେଙ୍ଗୁ ରୋଗୀ, ମୋଟ ୫୬୩ ଚିହ୍ନଟ ହେଲେଣି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏବେ ଭୟରେ ଦିନ କାଟୁଛନ୍ତି ରାଜଧାନୀବାସୀ। କରୋନା ସଂକ୍ରମଣ ପ୍ଲାଟୋ ଷ୍ଟେଜ୍‌ରୁ ଖସୁନଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଜୁଲାଇ ମାସ ସାରା ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଜୁଲାଇର ଶେଷ ଦିନରେ ଏକାଥରେ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀ ଭୁବନେଶ୍ୱରରେ ଏବେ ମୋଟ୍ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୬୩କୁ ବୃଦ୍ଧିପାଇଛି। ଯାହା ରାଜଧାନୀବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିବା ସାଧାରଣରେ ପ୍ରକାଶ ପାଇଛି।

ଏହି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଞ୍ଚଳରେ ଅଧିକ ବ୍ୟାପୁଛି। ଲୋକେ ଆପର୍ଟମେଣ୍ଟରେ ରଖୁଥିବା ଅଦରକାରୀ ପ୍ଲାଷ୍ଟିକ, ଫୁଲ କୁଣ୍ଡ, ରୁଫ୍ ଟପ୍ ଗାର୍ଡେନ୍ ଆଦି ଗୁଡ଼ିକରେ ପାଣି ଜମି ରହୁଥିବାରୁ ମଶା ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସକାଳେ ଓ ସନ୍ଧ୍ୟାରେ ବିଶେଷକରି ଏଡିସ୍ ମଶା ଲୋକଙ୍କୁ କାମୁଡ଼ିଥାଏ। ଏହି ସମୟରେ ଲୋକେ ଫୁଲ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଭୁବନେଶ୍ୱର ୩ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ସରକାର ପକ୍ଷରୁ ଯେଉଁ ସ୍ଥାନରେ ଡେଙ୍ଗୁ ଟେଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି, ସେଇଠି ଟେଷ୍ଟିଂ କରାଇବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଏହି ରୋଗରେ ମୃତ୍ୟୁ ୧%ରୁ କମ୍ ରହିଛି। କେବଳ ଗୁରୁତର ଲୋକେ ମେଡିକାଲରେ ଭର୍ତ୍ତି ହେବା ଆବଶ୍ୟକ। ଏଥିପାଇଁ ଲୋକେ ଭୟଭୀତ ନହେବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଏମ୍‌ସି ଅଞ୍ଚଳରେ ଏହାର ନିରାକାରଣ ପାଇଁ ଅଧିକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଲୋକେ ପ୍ରଥମେ ସଚେତନ ହେବା ସହ ନିଜ ଆଖପାଖ ଅଞ୍ଚଳ ସଫା ରଖିବାକୁୁ ପରାମର୍ଶ ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ମୂତାବକ, ଏଯାବତ୍ ସହରର ୬୪୩ ସ୍ଥାନରୁ ଏଡିସ୍ ମଶାର ଲାର୍ଭା ମିଳିଛି। ୧୯୮୪ ସ୍ଥାନରେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶନିବାରଠାରୁ ବିଏମ୍‌ସି ମେଗା ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସଂଯୋଜକ ମାନେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଜୋନ୍‌ସ୍ତରରେ ସଚେତନତା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବାବେଳେ ଏହାର ପରିଚାଳନା ଜୋନାଲ ଡେପୁଟି କମିଶନର (ଜେଡିସି) ଓ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।