ସୁନ୍ଦରଗଡ଼ରେ ଡେଙ୍ଗୁ ଆତଙ୍କ, ଭୟରେ ଗାଁ ଛାଡ଼ିଲେଣି ଲୋକେ

ସୁନ୍ଦରଗଡ, ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଡେଙ୍ଗୁ ଜ୍ୱରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କୁତ୍ରା ବ୍ଲକ ଖତକୁରବାହାଲ ଅଞ୍ଚଳରେ ୪୩ ଜଣ, ସୁନ୍ଦରଗଡ଼ ସଦରରେ ଜଣେ ଓ ବୀରମିତ୍ରପୁର ଅଞ୍ଚଳର ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଜଣେ ଡେଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ନେଇ ଦ୍ୱନ୍ଦ ଲାଗିରହିଛି। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପଙ୍କଜ ପଟେଲ ଏହାକୁ ଅସ୍ୱୀକାର କରିଛନ୍ତି। ଅନ୍ୟପଟେ ଖତକୁରବାହାଲ ଅଞ୍ଚଳରେ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ସ୍ୱାସ୍ଥ୍ୟକର୍ମୀମାନେ ଏହି ଅଞ୍ଚଳରେ ରକ୍ତ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି। ଏଣୁ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ସନ୍ଦେହ କରାଯାଉଛି। ଡେଙ୍ଗୁ ଭୟରେ ଖତକୁରବାହାଲ ଅଞ୍ଚଳ ଛାଡ଼ି ଲୋକେ ଅନ୍ୟତ୍ର ପଳାଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ଏପରିକି ବଜାର ହାଟରେ ମଧ୍ୟ ଜନ ଗହଳି କମି ଯାଇଛି। ଖତକୁରବାହାଲ ଛାଡ଼ି ଲୋକେ ସୁନ୍ଦରଗଡ଼, ବୀରମିତ୍ରପୁର, କୁଚିଣ୍ଡା, କୁତ୍ରା ଆଦି ଅଞ୍ଚଳକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି।

ତେବେ ଡେଙ୍ଗୁ ବ୍ୟାପିବାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଗାଁର ବିଭିନ୍ନ ସ୍ଥାନରେ ଅନେକ ଦିନରୁ ଜମି ରହିଥିବା ଅଳିଆ ଆବର୍ଜନା ସଫା କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ୟାନର ପୋଷ୍ଟର ମାରି ଘରେ ଘରେ ଲିଫଲେଟ ବାଣ୍ଟି ଲୋକଙ୍କୁ ସଚେତନ କରାଯାଉଛି। ମଶାମରା ଔଷଧ ଘରେଘରେ ଯୋଗାଇ ଦିଆଯିବା ସହ ମଶାମରା ଧୂଆଁ ଛଡା ଯାଉଛି। ପାଣି ରଖିବା ପାତ୍ର, ଟାଙ୍କି, ରୁମ କୁଲର ଇତ୍ୟାଦିକୁ ପ୍ରତି ୨-୩ ଦିନରେ ସଫା କରିବା, ନିୟମିତ ମଶାରୀ ବ୍ୟବହାର କରିବା, ପୁରା ଦେହକୁ ଘୋଡାଇଲା ଭଳି ପୋଷାକ ପିନ୍ଧିବା ପାଇଁ କୁହାଯାଉଛି। ଏହାଛଡା ରୋଗର ଲକ୍ଷଣ ଓ ପ୍ରତିକାର ବିଷୟରେ ମଧ୍ୟ ସଚେତନ କରାଯାଉଛି। ହେଲେ ଖତକୁରବାହାଲ ଅଞ୍ଚଳରେ ଟ୍ରକ ଓ ବସ ଟାୟାର ମଧ୍ୟରେ ପାଣି ଜମି ରହିବା ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଏ ଅଞ୍ଚଳରେ ଅନେକ ସ୍ଥାନରେ ପୁରୁଣା ଟାୟାର ଗଦା ହୋଇ ରହିଛି। କେତେକ ସ୍ଥାନରେ ପୁରୁଣା ଟାୟାରରେ ଘର ପାଚେରୀ ତିଆରି ରହିଛି। ଏହି ଟାୟାରରେ ଅନେକ ଦିନରୁ ପାଣି ଜମି ରହିଛି। ଡେଙ୍ଗୁ ମଶା କଠିନ ପୃଷ୍ଠ ଏବଂ ସ୍ଥିର ସ୍ୱଚ୍ଛପାଣିରେ ଅଣ୍ଡା ଦେଉଥିବା ବେଳେ ଟାୟାରରେ ଥିବା ପାଣି ଡେଙ୍ଗୁ ମଶାର ବଂଶ ବିସ୍ତାର ପାଇଁ ବିଶେଷ ଭାବେ ସହାୟକ ହୋଇଛି।
ଖତକୁର ବାହାଲର ଡେଙ୍ଗୁ ପୀଡ଼ିତଙ୍କ ମଧ୍ୟରୁ ୨୬ ଜଣ ଏବଂ ସୁନ୍ଦରଗଡ଼ ମସଜିଦ ପଡ଼ାର ଜଣେ ଡେଙ୍ଗୁ ରୋଗୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ରୋଗୀ ରାଉରକେଲା ସରକାରୀ ଚିକିତ୍ସାଳୟରେ ଅଛନ୍ତି।