ସୁନ୍ଦରଗଡ଼ରେ ବଢୁଛି ଡେଙ୍ଗୁ ଆତଙ୍କ

ସୁନ୍ଦରଗଡ଼, ଏନ୍ଏନ୍ଏସ୍ : ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୁତ୍ରା ବ୍ଲକରେ ୧୦ ଜଣ ରୋଗୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସଦର ବ୍ଲକରେ ଜଣେ ଆକ୍ରାନ୍ତ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। କୁତ୍ରା ବ୍ଲକରେ ଚିହ୍ନଟ କରାଯାଇଥିବା ୧୦ ଜଣ ଯାକ ରୋଗୀ ଖତକୁରବାହାଲ ଗ୍ରାମର। ସେମାନେ ହେଲେ କନିକା ବାଗ, ସୁକାନ୍ତି ତାଣ୍ଡିଆ, ରୁଖସାନା ଖାତୁନ, ନୁସରତ୍ ଫତିମା, ଦୟାନନ୍ଦ ଗଣ୍ଡା, ମହମ୍ମଦ ଏହସାନ, ସାଇନା ଖାତୁନ, ମହମ୍ମଦ ମୁସତଫା, ମହମ୍ମଦ ସାହିଦ, ପଦ୍ମିନୀ ସାହୁ ଏବଂ ସୁନ୍ଦରଗଡ଼ ମସଜିଦ ପଡ଼ାର ଗୁଲାମ ନବି।

ସୂଚନା ଅନୁଯାୟୀ, ଗୁରୁବାର ସମ୍ପୃକ୍ତ ୧୧ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବାବେଳେ ୬ ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଥିବା ଜଣାପଡିଥିଲା। ତେବେ ଅନ୍ୟ ୫ ଜଣଙ୍କ ରକ୍ତରେ ବ୍ଲଡ ପ୍ଲେଟଲେଟ ହ୍ରାସ ପାଉଥିବାରୁ ଏବଂ ଡେଙ୍ଗୁର ଅନ୍ୟାନ୍ୟ ଲକ୍ଷଣ ଦେଖାଯାଉଥିବାରୁ ସେମାନଙ୍କୁ ମଧ୍ୟ ଡେଙ୍ଗୁ ଚିକତ୍ସା କରାଯାଉଛି। ସୁନ୍ଦରଗଡ଼ ସରକାରୀ ଚିକତ୍ସାଳୟର ଡାକ୍ତରଙ୍କ କହିବା ଅନୁଯାୟୀ ଡେଙ୍ଗୁର ଅନେକ ପ୍ରକାର ଭାଇରସ ରହିଛି। ପ୍ରତିବର୍ଷ ନୂଆ ଭାଇରସ ଚିହ୍ନଟ କରାଯାଉଛି। ତେବେ ଡେଙ୍ଗୁ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜାତୀୟ ଭେକ୍ଟର ବାହିତ ରୋଗର ଜିଲ୍ଲା କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ପାଇଁ ପ୍ରଦକ୍ଷେପ ନିଆଯାଉଛି।

ବିଭିନ୍ନ ଅଞ୍ଚଳ ଚିହ୍ନଟ କରି ତୁରନ୍ତ ସଫାସୁତୁରା କରିବା ପାଇଁ ପୌରପାଳିକା ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପଙ୍କଜ ପଟେଲ କହିଛନ୍ତି ଯେ କୁତ୍ରାର ଖତକୁରବହାଲ ଅଞ୍ଚଳରେ ଅଧିକାଂଶ ଘର ବାଡ଼ ପୁରୁଣା ଟାୟାରରେ ତିଆରି କରାଯାଉଥିବାରୁ ସେଥିରେ ବର୍ଷାପାଣି ଜମି ରହୁଛି ଓ ଡେଙ୍ଗୁ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ଏନେଇ ମଧ୍ୟ ଲୋକଙ୍କୁ ସଚେତନତା କରାଯାଉଛି।