ସ୍ଥାନୀୟ ନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ହିରମାସ୍ଥିତ କନକାଷ୍ଟ ଷ୍ଟିଲ କାରଖାନା ସମ୍ମୁଖରେ ସ୍ଥାନୀୟ ନିଯୁକ୍ତି ଓ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ସେମାନଙ୍କ କହିବାନୁସାରେ, ଶିଳ୍ପ ଓ ଖଣି ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥାନୀୟ ଲୋକେ ଅବହେଳିତ ହୋଇ ରହୁଛନ୍ତି। ଜମି ବାଡ଼ି ଘରଦ୍ୱାର ହରାଇ ଧୁଳି ଧୁଆଁ ଖାଉଥିବା ଲୋକଙ୍କୁ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ । ଅନ୍ୟପଟେ କୌଣସି ଶିଳ୍ପାନୁଷ୍ଠାନ ଜିଲ୍ଲାରେ ବନ୍ଦ ହୋଇଗଲେ ଏଥିରେ କାମ କରୁଥିବା ଶ୍ରମିକଙ୍କ ବକେୟା ପ୍ରାପ୍ୟ ମଧ୍ୟ ମିଳିପାରୁ ନାହିଁ। ଗତ ୨୦୧୭ ଜାନୁଆରୀ ୧ ତାରିଖରେ କନକାଷ୍ଟ ଷ୍ଟିଲ ପାୱାର ଲିମିଟେଡ୍ କର୍ମଚାରୀଙ୍କୁ ଦରମା ନଦେଇ ହଠାତ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ନିଜର ବକେୟା ପ୍ରାପ୍ୟ ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ପ୍ରାୟ ୩ ବର୍ଷ ପରେ କନକାଷ୍ଟ ଷ୍ଟିଲ କମ୍ପାନୀ ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେଣୁ ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ କର୍ମଚାରୀଙ୍କ ବକେୟା ଥିବା ପ୍ରାପ୍ୟ, ଇଫିଏଫ ଟଙ୍କା ପ୍ରଦାନ ଓ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ନିଯୁକ୍ତିର ସୁଯୋଗ ପ୍ରଦାନ କରାଯାଉ ବୋଲି ଲୋକେ ଦାବି କରିଛନ୍ତ। ଆଗାମୀ ଦିନରେ ଯଦି ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ଆନ୍ଦୋଳନ ଅତି ଭୟଙ୍କର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।