ହଟିଲା ଜବରଦଖଲ, ମାଟିରେ ମିଶିଲା ଦୋକାନ ଓ ଘର

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶନ୍ନ ପଣ୍ଡା ଛକରେ କରାଯାଇଥିବା ଜବର ଦଖଲକୁ ରବିବାର ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରଶନ୍ନ ପଣ୍ଡାଛକରୁ ଆରଟିଓ ଅଫିସ ପର୍ଯ୍ୟନ୍ତ ବାମ ପାଶ୍ୱର୍ରେ ଜବର ଦଖଲ କରି ତିଆରି କରିଥିବା ଦୋକାନ ଓ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଆଗମୀ ଦିନରେ ରାସ୍ତା ଡାହାଣ ପାଶ୍ୱରେ ଥିବା ଜବର ଦଖଲକୁ ହଟାଯିବ। ସେହିପରି ବକ୍ସିଛକ, ବେହେରାପାଟ, ବିଟିଏମ ଛକ ଆଦି ସ୍ଥାନରୁ ଜବରଦଖଲ ହଟାଯିବା ସହ ସମ୍ପୂର୍ଣ୍ଣ ସହରକୁ ଜବରଦଖଲକରୀଙ୍କ କବ୍ଚାରୁ ରକ୍ଷା କରାଯିବ ବୋଲି ଜଣାପଡିଛି।

ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ଜବର ଦଖଲ କାରୀମାନେ ରାସ୍ତା ଉପରେ କବ୍ଚା କରିଥିବାରୁ ରାସ୍ତା ସଂକିର୍ଣ୍ଣ ହେବାସହ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ଉପୁଜୁଥିଲା। ବାରମ୍ବାର ଏଠାରେ ଟ୍ରାଫିକ ସମସ୍ୟା ଉପୁଯିବାସହ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲାପରେ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଥିବାବେଳେ ଜବରଦଖଲକାରୀମାନେ ବିରୋଧ କରୁଛନ୍ତି। ଏହି ଜବରଦଖଲ ଉଚ୍ଛେଦ ଅବସରରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ତହସିଲଦାର ଦିଲ୍ଲୀପ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ଗୋଳକ ବିହାରୀ ମଙ୍ଗରାଜ, ରାଜସ୍ୱ ବିଭାଗ ଅଧିକାରୀ ତଥା ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶ ଯୋଗ୍ୟ ଯେ, ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ବକ୍ସିଛକ ଠାରୁ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ଅନେକ ଦୋକାନ ବେଆଇନ ଭାବେ ଗଢି ଉଠିଥିଲା। ରାସ୍ତାକୁ ମାଡ଼ି ଯାଇ ଦୋକାନ ଏବଂ କ୍ୟାବିନ ଗୁଡ଼ିକ ଥିବାରୁ ଅନେକ ସମୟରେ ଯାନବାହାନ ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିଲା। ଫଳରେ ଟ୍ରାଫିକ ସମସ୍ୟା ଦୂରିକରଣ, ଦୁର୍ଘଟଣାକୁ ରୋକିବା ପାଇଁ ରାଜପଥ ଏବଂ ଅନ୍ୟାନ୍ୟ ମାର୍ଗରେ ଥିବା ଜବରଦଖଲ ଉଚ୍ଛେଦ ପ୍ରଶାସନ ପାଇଁ ଅନିବାର୍ଯ୍ୟ ହୋଇ ପଡ଼ିଥିଲା। ତେଣୁ ଏହି ଜବରଦଖଲକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ଗତ ୭ ତାରିଖରେ ଉଦ୍ୟମ କରିଥିଲା।

ହେଲେ ବର୍ଷା ଏବଂ କୋହଳା ପାଗରେ ଦୋକାନ ବଜାର ଭାଙ୍ଗି ଦେଇ ଉଚ୍ଛେଦ କରାଗଲେ ଦୋକାନୀ ଏବଂ ସେଠାରେ ରହୁଥିବା ଲୋକେ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି କହିଥିଲେ। ଏହାସହ ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କୁ ସାକ୍ଷାତ କରି ଅନ୍ତତଃ ବର୍ଷା ସମୟରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତେଣୁ ୨ ଦିନ ଏହି ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ କରାଯାଇ ରବିବାର ପାଗ ଠିକ ହେବା ପରେ ଜବର ଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି।