କିର୍ମିରା ବ୍ଲକକୁ ମରୁଡ଼ି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ୮ଟି ଗ୍ରାମପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ଦାବିରେ ଆଜି ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। କିର୍ମିରା ବ୍ଲକର ୮ଟି ପଞ୍ଚାୟତରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଧାନ ଚାଷ ମଧ୍ୟ ନଷ୍ଟ ହେବାକୁ ବସିଥିବାରୁ ଏବେ ଚାଷୀକୁଳ ଚିନ୍ତାରେ ରହିଛନ୍ତି। ଏଣୁ ଚଳିତ ବର୍ଷ କିର୍ମିରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ନେଇ ଆଜି ଦାବି କରାଯାଇଛି। କିର୍ମିରା ବ୍ଲକ ପରିସରରେ ପ୍ରାୟ ୭୦୦ ଚାଷୀ ଉପସ୍ଥିତ ରହି ଏକ ସଭା କରି ମରୁଡ଼ି ଘୋଷଣା କରିବା ନେଇ ୮ଟି ଦାବି ଉପରେ ବିଭିନ୍ନ ଅଭିଭାଷଣ ରଖିବା ସହ ସ୍ଲୋଗାନ ଦେଇଥିଲେ । କରୋନା ମହାମାରିକୁ ଦୃଷ୍ଟିରେ ରଖି ୭୦ଜଣ ଚାଷୀଙ୍କ ଉପସ୍ଥିତିରେ କିର୍ମିରା ବିଡ଼ିଓ ସୂର୍ଯ୍ୟକୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ନଷ୍ଟ ହୋଇଥିବା ଧାନ ଗଛକୁ ମଧ୍ୟ ବିଡ଼ିଓଙ୍କୁ ଦେଖାଯାଇଥିଲା । କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ଜିଲ୍ଲା ପରିଷଦ ସଭ୍ୟା ସ୍ୱପ୍ନାମୟୀ ପଟେଲ, ଜଗନ୍ନାଥ ଜେନା, ସରୋଜ ନାୟକ, ନଟବର ଅଗ୍ରୱାଲ, ଅଶ୍ୱିନୀ ଦଣ୍ଡପାଟ, ଶରତ ଚନ୍ଦ୍ର ପଟେଲ, ଭବାନୀ ଶଙ୍କର ସାହୁ, ତପିରାମ ମରେଇ, ରାଧେଶ୍ୟାମ ପଟେଲଙ୍କ ସହ କିର୍ମିରା, ନକ୍ସାପାଳି, ଝାରମୁଣ୍ଡା, ସୁଲେହି, ଅର୍ଡଆ, ବନ୍ଧପାଲି, ଗଉଡ଼ ପାନପାଲି ଓ ଭୀମଜୋର ପଞ୍ଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ।