ଖବରକାଗଜ ବିତରକଙ୍କୁ ସହାୟତା ଯୋଗାଇଦେବାକୁ ଦାବି

ବରଗଡ଼,ଏନ୍ଏନ୍ଏସ୍: କରୋନା ମହାମାରୀ ସଂକ୍ରମଣ ରୋକିବା ନେଇ ଚାଲିଥିବା ଲକଡାଉନ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହୋଇଛି। ଏଥିରୁ ଖବରକାଗଜ ବିତରକମାନେ ବାଦ ପଡିନାହାନ୍ତି। ବରଗଡ଼ ସହରରେ ବହୁ ଯୁବକ ଖବରକାଗଜ ବିତରଣ କରି ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର ଲକଡାଉନ ଯୋଗୁଁ ଖବରକାଗଜ ବିତରକଙ୍କ ଆର୍ଥିକ ପରିସ୍ଥିତି ସଙ୍କଟରେ ପଡ଼ିଯାଇଛି।

ଏହି ପରିପେକ୍ଷୀରେ ଖବରକାଗଜ ବିତରକଙ୍କୁ ସହାୟତା ଯୋଗାଇଦେବା ନେଇ ଶନିବାର ବରଗଡ଼ ସହରର ଖବରକାଗଜ ବିତରକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଖବରକାଗଜ ବିତରକଙ୍କ ପରି ଅଣ ସଂଗଠିତ ଲୋକଙ୍କ ପାଇଁ ମାସିକ ୭୫୦୦ ଟଙ୍କା ସହାୟତା ସହ ବୀମା ଏବଂ ପେନସନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଏ ଅବସରରେ ରାଜକୁମାର ବନଛୋର, ରମେଶଚନ୍ଦ୍ର ଦାସ, ଜୟ ପ୍ରକାଶ କୁମ୍ଭାର, ଦୁର୍ଗା ପ୍ରସାଦ ମିଶ୍ର, ରାଜୀବ ବଗର୍ତି ସମେତ ବହୁ ଖବରକାଗଜ ବିତରକ ଉପସ୍ଥିତ ଥିଲେ।