ଔଷଧ ଦୋକାନୀ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବରେ ଘୋଷଣା କରୁଥିବାବେଳେ ଔଷଧ ଦୋକାନ ମାଲିକ ଓ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଯାଇଛି । ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, କରୋନା ସମୟରେ କାର୍ଯ୍ୟରତ ସମସ୍ତ ବର୍ଗର ଲୋକଙ୍କୁ ସରକାର ଆଗଧାଡ଼ିର କରୋନା ଯୋଦ୍ଧା ଭାବରେ ଘୋଷଣା କରିସାରିଲେଣି। କିନ୍ତୁ ଔଷଧ ଦୋକାନ ମାଲିକ ଓ ସେଠାରେ କାର୍ଯ୍ୟରତ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ଔଷଧ ଦେଉଛନ୍ତି। ତେଣୁ ଏମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିବାକୁ ଆସୋସିଏସନ୍ ଦାବି କରିଛି। ଏହାସହ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଶୀଘ୍ର ଟିକା ପ୍ରଦାନର ବ୍ୟବସ୍ଥା କରିବାକୁ ଆସୋସିଏସନ୍ ଦାବି କରିଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଥିବା ହଜାର ହଜାର ଔଷଧ ଦୋକାନ ମାଲିକ ଓ ସେଠାରେ କାର୍ଯ୍ୟରତ କର୍ମଚାରୀ ଉପକୃତ ହେବେ ବୋଲି ସଭାପତି ଜୟନ୍ତ ଦିକ୍ଷିତ କହିଛନ୍ତି।