ଘସିଏନକୁ ବ୍ଲକ ମାନ୍ୟତା ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ୧୧ଟି ପଞ୍ଚାୟତକୁ ନେଇ ଘସିଏନକୁ ବ୍ଲକ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଆଦିବାସୀ ଅଧୁଷ୍ୟୁତ ଘସିଏନ ଅଞ୍ଚଳ ବନ୍ୟା ଓ ମରୁଡ଼ି ପ୍ରଭାବିତ ଅନୁନ୍ନତ ସହ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଶିକ୍ଷା, ସାସ୍ଥ୍ୟ, ଗମନାଗମନ, ମୋବାଇଲ ସେବା ଓ ସରକାରଙ୍କ ଡିଜିଟାଲ ସେବା ପାଇବାରୁ ବଞ୍ଚିତ ହେଉଛି । ଏହି ଅଞ୍ଚଳରୁ ପଞ୍ଚାୟତ ସମିତିକୁ ପାଖାପାଖି ୩୦ରୁ ୩୫ କିମି ରହିଛି । ୧୯୯୧ରୁ ଘସିଏନ ଗ୍ରାମରେ ପଞ୍ଚାୟତ ସମିତି ଘୋଷଣା କରିବା ପାଇଁ ଦାବୀହୋଇଛି । ଘସିଏନରେ କଲେଜ, ସ୍କୁଲ, ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ସାଉଥ ରେଞ୍ଜ ଅଫିସ ଓ ବ୍ୟାଙ୍କ ସହ ବହୁ ବିଦ୍ୟାଳୟ ରହିଛି । ଏହି ଅଞ୍ଚଳର ଜନସାଧାରଣ କୌଣସି କାମ ପାଇଁ ବ୍ଲକକୁ ଗଲେ ବହୁ ଖର୍ଚ୍ଚାନ୍ତରେ ପଡୁଛନ୍ତି ଓ ବିକାଶ ହୋଇପାରୁନାହିଁ । ତେଣୁ ଘସିଏନକୁ ଏକ ବ୍ଲକ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ପତିତପାବନ ପ୍ରଧାନ, ଖୁଟୁଲା ବାରିକ, କରମ୍ ସରାଫ, ନିମାଇ ଗଡ଼ତିଆ, ବିଜୟ ସାହୁ ଓ ଶ୍ରିବତ୍ସ ମହାକୁଡ଼ଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।