ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ଚଳାଚଳ ବନ୍ଦ ନକରିବା ପାଇଁ ଦାବିପତ୍ର ପ୍ରଦାନ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ଚଳାଚଳ ବନ୍ଦ ନ କରିବା ପାଇଁ ଝାରସୁଗୁଡ଼ାବାସୀ ଦାବି କରିଛନ୍ତି। ଏଥିପାଇଁ ଆଜି ଏକ ପ୍ରତିନିଧି ମଣ୍ଡଳୀ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ପବନ କୁମାରଙ୍କ ଜରିଆରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ବିମାନବନ୍ଦର ଉପରେ ସମ୍ପୂର୍ଣ ପଶ୍ଚିମ ଓଡ଼ିଶା ସହ ଛତିଶଡ଼ର ରାଇଗଡ଼ ଜିଲ୍ଲାର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି। ଏହି ବିମାନବନ୍ଦର ଦେଇ ପ୍ରତିଦିନ ଲୋକେ ଚିକିତ୍ସା, ଚାକିରି, ଶିକ୍ଷା ଓ ବାଣିଜ୍ୟ ବ୍ୟବସାୟ ଆଦି ପାଇଁ ବେଙ୍ଗାଲୁରୁକୁ ଯାତାୟାତ କରୁଛନ୍ତି। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁକୁ ବିମାନ ଚଳାଚଳ ମଧ୍ୟ ଆରମ୍ଭ କରାଯାଇଛି। ତେବେ କୌଣସି କାରଣରୁ ଝାରସୁଗୁଡ଼ା -ବେଙ୍ଗାଲୁରୁ ମଧ୍ୟରେ ବିମାନ ଚଳାଚଳକୁ ବନ୍ଦ ନକରିବା ସହ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଘରୋଇକରଣ କରାନଯାଉ ବୋଲି ଝାରସୁଗୁଡ଼ାବାସୀ ଦାବି କରିଛନ୍ତି। ଏହି ଅବସରରେ ଚେମ୍ବର ଅଫ କମର୍ସର ସଭାପତି ହୀରାଲାଲ ଲୋକଚନ୍ଦନୀ, ଜିଲ୍ଲା ବିଜେଡିର ଉପସଭାପତି ରଘୁମଣି ପଟେଲ, ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ରବୀନ୍ଦ୍ର ଦୀକ୍ଷିତ ଓ ଝାରସୁଗୁଡ଼ା ଜିଲ୍ଲା ସଚେତନ ନାଗରିକ ମଞ୍ଚର ଉପସଭାପତି ପିଣ୍ଟୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।