କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ରାଜ୍ୟ ସରକାର ରାଜ୍ୟ ବାସୀଙ୍କୁ ହାତ ପାହାନ୍ତାରେ ଆଇନ ସେବା ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗ୍ରାମାଞ୍ଚଳରେ ଆଇନ ସେବା ପହଞ୍ଚାଇବା ପାଇଁ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, ଗୋଳାମୁଣ୍ଡ, ଥୁଅମୂଳ ରାମପୁର, ଲାଞ୍ଜିଗଡ ବ୍ଲକ୍ରେ ଜେଏମ୍ଏଫ୍ସି କୋର୍ଟ ସ୍ଥାପନ ପାଇଁ ଗତ ୯ ଜୁଲାଇ ୨୦୨୧ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଓଡିଶା ହାଇକୋର୍ଟରୁ ପତ୍ର ସଂଖ୍ୟା-୭୮୪୫(୨୦), XVIII-୦୨/୨୦୧୫ ଜିଲ୍ଲା ଦୌରା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଖବର ପ୍ରକାଶ ହେବ ପରେ କର୍ଲାମୁଣ୍ଡା ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଥିଲା। ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ନ୍ୟାୟ ପାଇଁ ଅଞ୍ଚଳବାସୀ ମ.ରାମପୁର ଓ ଭବାନୀପାଟଣାକୁ ଯାଉଥିବା ବେଳେ କର୍ଲାମୁଣ୍ଡା ବ୍ଲକ୍ ସଦର ମହକୁମାରେ ଜେଏମ୍ଏଫ୍ସି କୋର୍ଟ କାର୍ଯ୍ୟକ୍ଷମ ହେଲେ ବହୁ ଲୋକ ହାତ ପାହାନ୍ତାରେ ଆଇନ ସେବା ପାଇଁ ପାରିବେ ସେଥିପାଇଁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି।