ଇମ୍ୟୁନିଟି ବଢ଼ାଇବା ପାଇଁ ବିଦେଶରେ ହଳଦୀ ଓ ଅନ୍ୟାନ୍ୟ ଭାରତୀୟ ମସଲାର ଚାହିଦା ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬୬ତମ ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଥିଲେ କି, ସମଗ୍ର ବିଶ୍ୱରେ ହଳଦୀ ଓ ଅଦାର ଚାହିଦା ବଢ଼ିବାରେ ଲାଗିଛି। କାରଣ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ଉପରେ ଅଧିକ ଜୋର ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ, ରୋଗ ପ୍ରତିରୋଧ କ୍ଷମତା ବଢ଼ାଉଥିବା ଏହି ମସଲାର ସମ୍ପର୍କ ଭାରତ ସହ ରହିଥିବାରୁ ଭାରତୀୟମାନେ ସହଜ ଭାଷାରେ ଏସମ୍ପର୍କରେ ସମଗ୍ର ବିଶ୍ୱରେ ପ୍ରଚାର କରିବା ଉଚିତ। ଯଦ୍ୱାରା ଦୁନିଆକୁ ସୁସ୍ଥ ରଖିବାରେ ଭାରତ ଏକ ବଡ଼ ଅବଦାନ ଦେଇପାରିବ।

ଭାରତ ସରକାର ଭାରତୀୟ ମସଲାର ଔଷଧୀୟ ଗୁଣକୁ ଦୁନିଆ ସମ୍ମୁଖରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ସମଗ୍ର ବିଶ୍ୱରେ ଯୋଗକୁ ପରିଚିତ କରାଇବା ପରେ ସରକାର ଆୟୁର୍ବେଦକୁ ମଧ୍ୟ ପ୍ରାଧାନ୍ୟ ଦେବାରେ ଲାଗି ପଡ଼ିଛନ୍ତି। ସେଥିପାଇଁ ନିକଟରେ ଜାରି ହୋଇଥିବା ଆତ୍ମନିର୍ଭର ପ୍ୟାକେଜରେ ଔଷଧୀୟ ବୃକ୍ଷ ସହ ଜଡ଼ିବୁଟିର ବିକାଶ ପାଇଁ ଅନେକ ଘୋଷଣା କରାଯାଇଛି। ଭାରତୀୟ ଚିକିତ୍ସା ପଦ୍ଧତିକୁ ଆଧୁନିକ ଉପାୟ ମାଧ୍ୟମରେ ଦୁନିଆରେ ସ୍ଥାପିତ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗଠନ କରାଯାଇଛି।