ଓପିଏସସି ପରୀକ୍ଷା ରଦ୍ଦ ପାଇଁ ଦାବି

ଭୁବନେଶ୍ୱର, ଏନ୍ଏନ୍ଏସ୍:  ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଆଇଆଇଏସଇ) ଓ ଦେଶର ୭ଟି ନାମିଦାମୀ ଆଇଆଇଟି ଦ୍ୱାରା ପରିଚାଳିତ ‘ଗ୍ରାଜୁଏଟ୍ ଆପ୍ଟିଚ୍ୟୁଟ୍ ଆପ୍ଲିକେସନ ଟେଷ୍ଟ’ ବା ଗେଟ୍ ପରୀକ୍ଷା ଫେବ୍ରୁଆରୀ ୭ରେ ହେବ ବୋଲି ପ୍ରଥମରୁ ଧାର୍ଯ୍ୟ ହୋଇଥିଲା। ବିଭିନ୍ନ ଖବରକାଜରେ ବି ଏନେଇ ବିଜ୍ଞାପନ ପ୍ରକାଶ ପାଇଛି। ସେଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ଆବେଦନ କରିବା ସହ ପାଠପଢ଼ା ଆରମ୍ଭ କରି ଦେଇଛନ୍ତି। ହେଲେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ସେହି ଫେବ୍ରୁଆରୀ ୭ରେ ଆସିଷ୍ଟାଣ୍ଟ ଏକଜକୋଟିଭ୍ ଇଞ୍ଜିନିୟର-ଇଲେକ୍ଟ୍ରିକାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଗତ ୧୯ ଜାନୁଆରୀ ୨୦୨୧ରେ ବିଜ୍ଞପ୍ତି ନମ୍ବର ରହିଛି ୪୩୦/ଓପିଏସସି/୨୦୨୧ ଭିତ୍ତିରେ ଓଡ଼ିଶାର ପ୍ରମୁଖ ଦୈନିକ ଖବରକାଜରେ ତାହା ପ୍ରକାଶ ପାଇଛି। କୋଭିଡ୍ ମାର୍ଗଦର୍ଶିକା ଆଧାରରେ ପରୀକ୍ଷା ହେବ ବୋଲି କୁହାଯାଇଛି। ପରୀକ୍ଷା ଦୁଇଟି ସେସନରେ ଅର୍ଥାତ ସକାଳ ୯ରୁ ମଧ୍ୟାହ୍ନ ୧୨ ଏବଂ ଅପରାହ୍ଣ ୨ରୁ ୫ ଯାଏ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି।
ଦୁଇଟି ଗୁରୁତ୍ୱପୁର୍ଣ୍ଣ ପରୀକ୍ଷା ଗୋଟିଏ ଦିନରେ ଓ ସମାନ ସମୟରେ ହେଉଥିବାରୁ କେବଳ ପରୀକ୍ଷାର୍ଥୀ ନୁହଁନ୍ତି, ଅବିଭାବକମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଓପିଏସସି ଆସିଷ୍ଟାଣ୍ଟ ଏକଜକୋଟିଭ୍ ଇଞ୍ଜିନିୟର-ଇଲେକ୍ଟ୍ରିକାଲ ପଦବୀ ପରୀକ୍ଷାକୁ ତୁରନ୍ତ ରଦ୍ଦ କରି ନୂଆ ତାରିଖ ଘୋଷଣା କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି। ଜଣେ ଅବିଭାବକ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ପିଲାମାନଙ୍କ ସ୍ୱାର୍ଥ ପାଇଁ ସରକାର ଆଗ ଚିନ୍ତା କରିବା ଦରକାର। ତେଣୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ଓପିଏସସିକୁ ନିର୍ଦ୍ଦେଶ ଦିଅନ୍ତୁ। ଏହାଦ୍ୱାରା ସରକାରଙ୍କ ଉପରେ ଲୋକ ତଥା ପିଲାମାନଙ୍କର ଆସ୍ଥା ଆହୁରି ବଢ଼ିଯିବ।