ରିଆମାଳ ବିଡିଓ ବଦଳି ଦାବୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

ଦେବଗଡ଼,ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ପରିସରରେ ଆଜି ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୂରିଆଙ୍କ ବଦଳି ଦାବୀରେ ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀଙ୍କ ନେତୃତ୍ୱରେ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ପଞ୍ଚାୟତ ସମିତିର ସୁଧ ଟଙ୍କାକୁ ଦୁର୍ନୀତି ପୂର୍ବକ ହଡ଼ପ କରାଯାଇଥିବା ନେଇ ତାବଡ଼ା ସରପଞ୍ଚ ପାଞ୍ଜିଆ ଭୋଇ ପରିପ୍ରକାଶ କରିଥିବାବେଳେ ଖିଲେଇ ସରପଞ୍ଚ ଓ ବୁଢ଼ାପାଳ ସରପଞ୍ଚକୁ ବିଡିଓ ଦିବ୍ୟଶଙ୍କର ଜୟପୂରିଆ ଅନାସ୍ଥା କରୁଛନ୍ତି ବୋଲି ଉଟୁଣିଆ ସରପଞ୍ଚ ତରଣୀସେନ ପ୍ରଧାନ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଗଣତନ୍ତ୍ର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଡିଓ ଅସମ୍ମାନ କରିବା ସହିତ ବ୍ଲକରେ ମନମୁଖୀ କାର୍ଯ୍ୟ ଏବଂ ସରକାରୀ ବେତନ ପାଇଁ ରାଜନୀତି କରୁଥିବା ଅଭିଯୋଗରେ ଗଣଧାରଣା ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରମତି ହାତୀ ପରିପ୍ରକାଶ କରିଛନ୍ତି। ସେହିପରି ବିଧାୟକ ପ୍ରତିନିଧି ଶରତ କୁମାର ସାହୁ ତୁରନ୍ତ ରିଆମାଳ ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବୀ କରିଛନ୍ତି। ଏହି ଗଣଧାରଣରେ ନାରାୟଣ ଭୋଇ, ପୂଜାରିଣୀ ସାହୁ, ଅନିତା ବଗର୍ତ୍ତୀ, ଉମା ବେହେରା, ଉଗ୍ରେସନ ପ୍ରଧାନ, ଚାନ୍ଦମଣି ଗଡ଼ନାୟକ, ସଞ୍ଜୁକ୍ତା ନାୟକ, ପୂର୍ଣ୍ଣିମା ନାୟକଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ।