କଟକ ଗୁରୁଡ଼ିଝାଟିଆ ପ୍ରସବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯/ଏନ୍ଏନ୍ଏସ୍: ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ସାମାନ୍ୟ ଢିଲା କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ହେଲେ ସ୍ୱାସ୍ଥ୍ୟସେବା ଭଳି ଅତି ସମ୍ବେଦନଶୀଳ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ସାମାନ୍ୟରୁ ସାମାନ୍ୟତମ କାର୍ଯ୍ୟକୁ ଢିଲାକୁ ବରଦାସ୍ତ କରିବ ନାହିଁ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କଟକ ଗୁରୁଡ଼ିଝାଟିଆ ପ୍ରସବ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏନେଇ ମନ୍ତ୍ରୀ ଶ୍ରୀ ଦାସ ଗୁରୁଡ଼ିଝାଟିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏମ୍ଓ ତୁରନ୍ତ ୩ ଦିନ ଭିତରେ ଏହି ଘଟଣାର ତଦନ୍ତ କରି ଜଣାଇବାକୁ କହିଛନ୍ତି। ସୂଚନାଯୋଗ୍ୟ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ପ୍ରସବ ପାଇଁ ଆସିଥିଲେ। ହେଲେ ସେହି କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ନଥିବା ଯୋଗୁଁ ଏହି ପରିସ୍ଥିତି ଉପୁଜିଥିଲ।

ଓଡ଼ିଶା ସରକାର ଶିଶୁ ଓ ମାତୃ ମୁତ୍ୟୁହାର ରୋକିବା ଦିଗରେ ଉପଯୁକ୍ତ ପଦକ୍ଷେପ କାରଣରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମ ପାଇଁ ଏହି ସଫଳତା ମିଳିଛି। ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଗତ ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶକ ଫୁ’ କରି ଉଡ଼ାଇ ଦେଇଛନ୍ତି ହସ୍ପିଟାଲର ଡାକ୍ତର ଓ କର୍ମଚାରୀ। ଯଦି ଏପରି ପରିସ୍ଥିତି ସ୍ଥାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଆଗକୁ ଜାରି ରହେ ତାହେଲେ ରାଜ୍ୟ ସରକାର ପାଇଥିବା ପ୍ରଶଂସା ସବୁ ପାଣିରେ ପଡ଼ିବ।

ରାଜ୍ୟ ସରକାର ମାତୃ ଓ ଶିଶୁମୃତ୍ୟୁ ହାର କମାଇବା ଲାଗି ଇନ୍ଷ୍ଟିଚ୍ୟୁସନାଲ ଡେଲିଭରି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥି ଲାଗି ମଧ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି। ରାଜ୍ୟ ସରକାର ଭରସା ଦେଉଛନ୍ତି ଯେ ଇନ୍ଷ୍ଟିଚ୍ୟୁସନାଲ ଡେଲିଭରିରେ ମା ଓ ଶିଶୁ ପାଇଁ ଆଦୌଂ ବିପଦ ନଥାଏ। ରାଜ୍ୟ ସରକାରଙ୍କ ଏହି ଘୋଷଣା ଓ ଡାକ୍ତରଙ୍କ ପରାମର୍ଶ ପାଇଁ ପ୍ରସୂତିମାନେ ହସ୍ପିଟାଲରେ ପ୍ରସବ ପାଇଁ ଆନ୍ତରିକ ମନୋବଳକୁ ସଂଗଠିତ କରିଥାନ୍ତି। ନିଜ ଓ ଶିଶୁର ସୁରକ୍ଷା ଲାଗି ହସ୍ପିଟାଲରେ ପ୍ରସବ ଲାଗି ଆସିଥାନ୍ତି। ହେଲେ ଏଠି ଯେ ଫଳ ଓଲଟା ଘଟିବ କେବେ ବି ଜଣେ ପ୍ରସୂତି ବିଶ୍ୱାସ କରିନଥିଲେ।

ଆଠଗଡ଼ର ଜଣେ ପ୍ରସୂତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ହେଲେ ସେଠାରେ ଦେଖିଲା ବେଳକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ିଛି ତାଲା। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ସମେତ ୧୧ଜଣ ଷ୍ଟାଫ୍ ଅନୁପସ୍ଥିତ ଥିଲେ। ପ୍ରସୂତି ଜଣକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ କେବଳ ଭଗବାନଙ୍କ ଭରସାରେ ରହିଥିଲେ। ପ୍ରସୂତିଙ୍କ ସେଠାରେ ଏପରି ପରିସ୍ଥିତି ହୋଇଥିଲା ଯେ ପ୍ରସୂତିଙ୍କୁ ଅନ୍ୟ ହସ୍ପିଟାଲକୁ ଯିବାକୁ ପଡ଼ିଥିଲା। ହେଲେ ଚିକିତ୍ସାରେ ବିଳମ୍ବ ପାଇଁ ଶିଶୁର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତ୍ତାବରଣ ସୃଷ୍ଟି ହେବା ସହିତ ପ୍ରସୂତିଙ୍କ ଭିତରେ ଏକ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।