ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି, ମୁନିଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ରାସ୍ତା ଖରାପ ଯୋଗୁଁ କେତେବେଳେ ଭାରରେ ତ ଆଉ କେତେବେଳେ ଅଟୋରେ ବୁହା ହେଉଛନ୍ତି ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଅମଳାଭଟ୍ଟା ଗ୍ରାମରେ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଇଚ୍ଛାପୁର ପଞ୍ଚାୟତର କାଡ଼ଘାଟୀ ଗାଁରେ।

ଅମଳାଭଟ୍ଟା ଗ୍ରାମର ପର୍ଶୁରାମ ପାଙ୍ଗୀଙ୍କ ପତ୍ନୀ ତୁଳସୀ ପାଙ୍ଗୀ(୨୭)ଙ୍କ ଗର୍ଭ ବେଦନା ଆରମ୍ଭ ହେବାରୁ ଆଶା କର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ରାସ୍ତା ଖରାପ ଥିବାରୁ ଗ୍ରାମଠାରୁ ୩କିଲୋମିଟର ଦୂରରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଏହା ଜାଣିବା ପରେ କିଛି ଗ୍ରାମବାସୀଙ୍କ ସହାୟତାରେ ପରିବାରବର୍ଗ ଗର୍ଭବତୀଙ୍କୁ ଖଟିଆ ସାହାଯ୍ୟରେ ପ୍ରାୟ ୩ କିଲୋମିଟର ବୋହି ନେଇଥିଲେ। ଏହାପରେ ଆମ୍ବୁଲାନ୍ସରେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଶିଶୁ ପୁତ୍ର ଜନ୍ମ ଦେଇଥିବାବେଳେ ଅତ୍ୟଧିକ ରକ୍ତଶ୍ରାବ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଇଚ୍ଛାପୁର ପଞ୍ଚାୟତର କାଡ଼ଘାଟୀ ଗାଁରେ ଜଣେ ପ୍ରସୂତିଙ୍କୁ ନଦୀର ଅଣ୍ଟାଏ ପାଣିରେ ଷ୍ଟ୍ରେଚରରରେ ବୁହାହୋଇ ଆସୁଥିବାର ଭୟାନକ ଦୃଶ୍ୟ ସଭିଙ୍କୁ ବ୍ୟଥିତ କରିଛି।