୫ କିଲୋମିଟର ବୁହାହେଲେ ଗର୍ଭବତୀ, ଅଧାରାସ୍ତାରେ ଶିଶୁ ପୁତ୍ରକୁ ଜନ୍ମଦେଲେ

କୋରାପୁଟ,ଏନ୍ଏନ୍ଏସ୍: ଗାଁକୁ ପକ୍କା ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଜନନୀ ଏକ୍ସପ୍ରେସ। ଫଳରେ ବାଧ୍ୟହୋଇ ଗର୍ଭବତୀଙ୍କୁ ୫ କିଲୋମିଟର ଖଟିଆରେ ବୋହିଲେ। ସେହିପରି ଅଧାରାସ୍ତାରେ ମହିଳା ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ଗୁରୁତର ହୋଇଥିବା ଜଣାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ୍‌ ଓଡ଼ିଶା- ଆନ୍ଧ୍ର ସୀମା କାପଲୋଡା ପଞ୍ଚାୟତର ଦିଗୁଭତ୍ରାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ଣରେ ଗ୍ରାମର ଶ୍ରୀନୁ ବିଡିକାଙ୍କ ସ୍ତ୍ରୀ ଭାରତୀ ବିଡିକାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତେବେ ଦିଗୁଭତ୍ରାପଲ୍ଲୀ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନସ୍ କିମ୍ବା ଅନ୍ୟ କୌଣସି ଗାଡି ଯାଇ ପାରୁନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଭାରତୀଙ୍କୁ ଖଟିଆରେ ହସ୍ପିଟାଲ୍‌ ନେବାକୁ ବାହାରିଲେ। ଖଟିଆରେ ବୋହି ନେଉଥିବାବେଳେ ଅଧା ବାଟରେ ଭାରତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଗୁରୁତର ହୋଇପଡିଥିଲେ।

କୌଣସି ପ୍ରକାରେ ଗ୍ରାମବାସୀ ଭାରତୀଙ୍କୁ ପ୍ରାୟ ୫ କିଲୋମିଟର ବୋହି ପି.ସିଲାବାଡି ଗ୍ରାମରେ ପହଞ୍ଚାଇବା ପରେ ସେଠାରୁ ଏକ କମାଣ୍ଡର ଜିପରେ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ଭାରତୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଡାକ୍ତର କୋରାପୁଟ କିମ୍ବା ରାୟଗଡ଼ା ନେବାକୁ କହିଥିଲେ। ମାତ୍ର କୋରାପୁଟରୁ କିମ୍ବା ରାୟଗଡ଼ ସେଠାରୁ ବହୁ ଦୂର ହୋଇଥିବାରୁ ପରିବାର ଲୋକେ ଭାରତୀଙ୍କୁ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଏକ ହସ୍ପିଟାଲକୁ ନେଇଥିଲେ।