ଦିଲ୍ଲୀ କ୍ୟାପିଟାଲ୍ସର ଧୂଆଦାର ବ୍ୟାଟିଂ, ଚେନ୍ନାଇ ପରାସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ମ୍ୟାଚ ଶନିବାର ଖେଳାଯାଇଥିବା ବେଳେ ଏଥିରେ ଦିଲ୍ଲୀ ଦମଦାର ବିଜୟ ହାସଲ କରିଛି। ଦିଲ୍ଲୀ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍‌ସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ୧୮.୩ ଓଭରରେ ୩ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା।

ପୃଥ୍ୱୀ ସ ୩୮ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ସହ ୭୨ ରନ୍ ସଂଗ୍ରହ କରିଥିଲେ। ଏଥିସହ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ୫୩ଟି ବଲ ଖେଳି ୧୦ଟି ଚୌକା ଓ ୨ଟି ଛକା ସହ ୮୫ ରନ୍ କରିଥିଲେ। ୧୭ ଓଭରରେ ଶିଖର ଧାୱନ ଆଉଟ ହୋଇଯାଇଥିଲେ। ପରେ ମାର୍କସ ଷ୍ଟୋଇନିସ୍ ୯ ବଲ୍‌ରୁ ୩ଟି ଚୌକା ସହ ୧୪ ରନ୍‌ କରିଥିଲେ। ଋଷଭ ପନ୍ତ୍‌ ୧୫ ରନ୍ ‌କରି ଅପରାଜିତ ଥିଲେ। ସାର୍ଦ୍ଦୁଳ ଠାକୁର ୨ଟି ୱିକେଟ ପାଇଥିଲେ।

ଚେନ୍ନଇ ସୁପର କିଙ୍ଗ୍‌ସର ଦୁଇ ଓପ୍‌ନର ବିଫଳ ହୋଇଥିଲେ। ଫାଫ୍ ଡୁ ପ୍ଲେସି ୦ ଓ ଋତୁରାଜ ଗାଏକ‌ୱାଡ୍‌ ୫ ରନ୍‌ କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ ମୋଇନ୍ ଅଲୀ ଓ ସୁରେଶ ରାଇନା ଦ୍ରୁତ ୫୩ ରନ୍ ଯୋଡ଼ିଥିଲେ। ଇଂଲଣ୍ଡର ଅଲ୍‌ରାଉଣ୍ଡର ମୋଇନ୍ ୨୪ ବଲରେ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍‌ କରିଥିଲେ। ସେହିପରି ୨ୟ ସଫଳତମ ବ୍ୟାଟ୍‌ସମ୍ୟାନ ସୁରେଶ ରାଇନା ସ୍ୱାଭାବିକ ଭାବେ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୬ ବଲରେ ୪ଟି ଛକା ଓ ୩ଟି ଚୌକା ସହ ୫୩ ରନ୍‌ କରି ‌ଆଉଟ୍‌ ହୋଇ ଯାଇଥିଲେ। ରାଇନାଙ୍କ ସହ ୬୩ ରନ୍ ଯୋଡ଼ିଥିବା ଅମ୍ବାତି ରାୟୁଡୁ ୧୬ ବଲ‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖାତା ଖୋଲି ପାରିନଥିଲେ। ଶେଷ ୪.୩ ଓଭରରୁ ସିଏସ‌କେ ୫୧ ରନ୍‌ କରିବାରୁ ଏହା ୧୮୮ ରନରେ ପହଞ୍ଚି ପାରିଥିଲା।