ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ କେନ୍ଦ୍ରକରି ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଲୋକସଭାରେ ଦିଲ୍ଲୀ ହିଂସାକାଣ୍ଡ ସମ୍ପର୍କରେ ଆଲୋଚନାର ଉତ୍ତର ଦେଇ ଶାହ କହିଛନ୍ତି, ଏହାକୁ ହିନ୍ଦୁ-ମୁସଲିମ୍ ମଧ୍ୟରେ ସଂଘର୍ଷ ବୋଲି କୁହାଯାଇନପାରେ। ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର। ଏହା ହୋଇନଥିଲେ ଏତେ କମ୍ ସମୟ ମଧ୍ୟରେ ଦିଲ୍ଲୀରେ ବଡ଼ଧରଣର ହିଂସାକାଣ୍ଡ ଘଟିନଥାନ୍ତା।
ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୫୨ ଜଣଙ୍କ ପ୍ରତି ଦୁଃଖ ପ୍ରକାଶ କରି ଶାହ କହିଥିଲେ, ଫେବୃଆରୀ ୨୫ ପରେ ଉତ୍ତର-ପୂର୍ବ ଦିଲ୍ଲୀରେ କୌଣସି ହିଂସାକାଣ୍ଡ ଘଟିନାହିଁ। ନିୟମ ୧୯୩ ଅନୁଯାୟୀ, ଲୋକସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଉତ୍ତରରେ କଂଗ୍ରେସ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ।
ଦିଲ୍ଲୀ ଦଙ୍ଗା ସମ୍ପର୍କରେ ବୁଧବାର ଲୋକସଭାରେ ଆଲୋଚନା ବେଳେ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପିକୁ ଟାର୍ଗେଟ୍ କରିଥିଲେ। ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଦିଲ୍ଲୀ ହିଂସାକାଣ୍ଡ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସେ ଅଭିଯୋଗ କରିଥିଲେ, ରୋମ୍ ଜଳୁଥିଲାବେଳେ ସମ୍ରାଟ୍ ନିରୋ ବଂଶୀବାଦନ କଲାଭଳି ଦିଲ୍ଲୀ ଜଳୁଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆପ୍ୟାୟିତ କରିବାରେ ଲାଗିଥିଲେ। ଦିଲ୍ଲୀ ଜଳୁଥିଲାବେଳେ ଅମିତ ଶାହଜୀ ସେତେବେଳେ କ’ଣ କରୁଥିଲେ?
ଏହି ସମୟରେ ବିଜେପି ସାଂସଦ ମିନାକ୍ଷୀ ଲେଖି କହିଥିଲେ, ଦିଲ୍ଲୀ ହିଂସାକାଣ୍ଡକୁ ୩୬ ଘଣ୍ଟା ମଧ୍ୟରେ ରୋକାଯାଇ ପାରିଥିଲା। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ଉକ୍ତି ଉଦ୍ଧାର କରି କହିଥିଲେ, ବଡ଼େ ପେଡ୍ ଗିରତେ ହେଁ ତୋ ଧରତି ହିଲତି ହେଁ। ଦଙ୍ଗା ଘଟିବା ସମୟରେ ସେଠାରେ ଶାହ ଉପସ୍ଥିତ ରହିବା କଂଗ୍ରେସ ଚାହୁଁଥିଲା କି ବୋଲି ମିନାକ୍ଷୀ ଲେଖି ପାଲଟା ପ୍ରଶ୍ନ କରିଥିଲେ। ସେ କହିଲେ, ଦିଲ୍ଲୀ ହିଂସାକାଣ୍ଡ ସେତେବେଳେ ବ୍ୟାପକ ହେବା ଦେଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ପୁଲିସ ଓ ସୁରକ୍ଷା ଅଧିକାରୀଙ୍କ ଜରୁରୀ ବୈଠକ ଡାକି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ମଧ୍ୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ପ୍ରମୁଖଙ୍କ ସହ ଏହି ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ବିହିତ ପଦକ୍ଷେପ ନେଇଥିଲେ।
ଉଲ୍ଲେଖଯୋଗ୍ୟ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ମିନାକ୍ଷୀ ଲେଖି କହିଥିଲେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କୁ ଦୋଷାରୋପ କରାଯାଉଛି। ଅନୁରାଗ ଓ ବର୍ମା ଗତ ଜାନୁଆରୀ ୨୦ ଓ ୨୮ରେ ମନ୍ତବ୍ୟ ଦେଇଥିଲାବେଳେ ଫେବୃଆରୀ ୨୩ରେ ଦିଲ୍ଲୀରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଅମାନତୁଲା ଖାନ୍, ସରଜିଲ୍ ଇମାମ ଓ ତାହିର ହୁସେନଙ୍କ କାର୍ଯ୍ୟ ପାଇଁ କପିଲ ମିଶ୍ରଙ୍କୁ ଦାୟୀ କରାଯାଉଛି। କଂଗ୍ରେସର ନାମ ଉଲ୍ଲେଖ ନକରି ମିନାକ୍ଷୀ କହିଥିଲେ, ସରକାର ୩୬ ଘଣ୍ଟା ମଧ୍ୟରେ ହିଂସାକାଣ୍ଡକୁ ନିୟନ୍ତ୍ରିତ କରିଥିଲେ।
କଂଗ୍ରେସକୁ ଆହୁରି ଟାର୍ଗେଟ୍ କରି ସେ କହିଲେ, ୧୯୮୪ ଦଙ୍ଗା କଥା କୁହାଯାଉଛି। ମାତ୍ର ପରିତାପର ବିଷୟ ସେହି ଦଙ୍ଗାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ରେ ବିଜେପିର କପିଲ ମିଶ୍ର ଜାଫରାବାଦ ଓ ଚାନ୍ଦବାଗ ରାସ୍ତାରୁ ୩ ଦିନ ଭିତରେ ହଟିଯିବା ଲାଗି ପୁଲିସକୁ ଚରମବାଣୀ ଶୁଣାଇଥିଲେ। ତାଙ୍କର ଏହି ଚରମବାଣୀ ସୋସିଆଲ ମିଡିଆରେ ଭାଇରାଲ୍ ହେବାରୁ ବିରୋଧୀଦଳଗୁଡ଼ିକ ବିଜେପିକୁ ସମାଲୋଚନା କରିଥିଲେ।