ଦିଲ୍ଲୀ ଅନଲକ୍: ୨୬ରୁ ଖୋଲିବ ସିନେମାହଲ, ୧୦୦ ପ୍ରତିଶତ କ୍ଷମତା ସହିତ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନାର ମାମଲାକୁ ଲକ୍ଷ କରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ ପକ୍ଷରୁ ୨୬ ଜୁଲାଇ ତଥା ସୋମବାରରୁ ନିୟମରେ ଆହୁରି କୋହଳ କରିଛନ୍ତି। ନୂତନ ଆଦେଶ ଅନୁସାରେ ଦିଲ୍ଲୀରେ ୨୬ ଜୁଲାଇରୁ ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ।

ସେହିପରି ସୋମବାରରୁ ବିବାହ ଉତ୍ସବ ଓ ଶେଷ କୃତ୍ୟ କାର୍ଯ୍ୟରେ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ସେହିପରି ମେଟ୍ରୋ ଯାତ୍ରାରେ ମଧ୍ୟ କୋହଳ ହୋଇଛି। ସୋମବାର ଠାରୁ ୧୦୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ଚାଲିବ ହେଲେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ଦିଲ୍ଲୀ ସରକାର ସର୍ତ୍ତ ମୂଳକ ଭାବେ ସ୍ପା ଖୋଲିବା ଅନୁମତି ଦେଇଛନ୍ତି। ତେବେ ସ୍ପାରେ କାମ କରୁଥିବା କର୍ମଚାରୀମାନେ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ ବୋଲି କୁହାଯାଇଛି। ଆନ୍ତରାଜ୍ୟ ବସ୍ ଚଳାଚଳ ୧୦୦ ପ୍ରତିଶତ କ୍ଷମତା ସହିତ ହେବ।

ଏଥିସହିତ ଦିଲ୍ଲୀରେ ପୂର୍ବର ପରି ସ୍କୁଲ, କଲେଜ, ଇନଷ୍ଟିଚ୍ୟୁଟ, ସାମାଜିକ, ରାଜନୈତିକ, ସ୍ପୋର୍ଟ୍ସ, ସାଂସ୍କୃତିକ, ଧାର୍ମିକ, ପର୍ବପର୍ବାଣୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।