ଟ୍ରାକ୍ଟର ରାଲି ହିଂସାରେ ୮୩ ଯବାନ ଆହତ, ବିଭିନ୍ନ ସ୍ଥାନରେ ରାତି ୧୨ ଯାଏ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,  ନୂଆ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ମାର୍ଚ୍ଚ ବେଳେ ଘଟିଥିବା ହିଂସାକାଣ୍ଡରେ ଅନେକ ସଂଖ୍ୟାରେ ପୋଲିସ କର୍ମଚାରୀ ଏବଂ ଯବାନ ଆହତ ହୋଇଛନ୍ତି ।  ଚାଷୀମାନଙ୍କ ସହ ଧସ୍ତାଧସ୍ତି ବେଳେ ପ୍ରାୟ ୮୩ ଜଣ ଯବାନ ଆହତ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ କହିଛି ଯେ, ଯବାନମାନେ ସମସ୍ତ ସର୍ତ୍ତ ଅନୁପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ପ୍ରଦର୍ଶନକାରୀମାନେ  ସମୟ ପୂର୍ବରୁ ଟ୍ରାକ୍ଟର ମାର୍ଚ୍ଚ ଆରମ୍ଭ କରିଦେଇଥିଲେ । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଆଲୋକ କୁମାର କହିଛନ୍ତି, ଭୟାନକ ଭାବେ ଟ୍ରାକ୍ଟର ଚଳାଇ ପୋଲିସ ଉପରକୁ ଆକ୍ରମଣ ପାଇଁ ପ୍ରୟାସ କରାଯାଇଥିଲା । ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ସୂଚନା ଅନୁଯାୟୀ ଦିଲ୍ଲୀରେ ହିଂସାକୁ ଦେଖି ଆହୁରି ପ୍ରାୟ ୧୫୦୦ ରୁ ୨୦୦୦ ଯବାନଙ୍କୁ ମୁତୟନ କରାଯିବ । ଗଣତନ୍ତ୍ର ଦିବସ ପାଇଁ ପୂର୍ବରୁ ୪୫୦୦ ଅର୍ଦ୍ଧସାମରିକ ବଳ ମୁତୟନ ଥିଲେ ।

ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଘଟଣା ପରେ ଅନେକ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି । ସିଂଘୁ ବର୍ଡର, ଟିକରୀ ବର୍ଡର, ଗାଜୀପୁର ବର୍ଡର, ମୁବାରକା ଚୌକ ଏବଂ ନାଂଗଲୋଇାର ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି ।