ଦିଲ୍ଲୀ ପୁଲିସକୁ ସମର୍ଥନ ଜଣାଇଲେ ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ

ନୂଆଦିଲ୍ଲୀ,ଏଜେନ୍ସି: ତିସ ହଜାରୀ କୋର୍ଟ ପରିସରରେ ପାର୍କିଂ ବିବାଦକୁ ନେଇ ପୁଲିସ ଓ ଓକିଲଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ଘଟଣାକୁ ନେଇ ଦିଲ୍ଲୀରେ ଗତ ଦୁଇ ଦିନ ଧରି ପୁଲିସ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଥିବାବେଳେ ଆଜି ସୋମାନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳ କିରଣ ବେଦୀ ସମର୍ଥନ ଜଣାଇଛନ୍ତି। ପୁଲିସକୁ ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ଠାରୁ ହଜାର ହଜାର ପୁଲିସ କର୍ମଚାରୀ ପୁଲିସ ମୁଖ୍ୟାଳୟ ଆଗରେ ଧାରଣା ଦେଇ ନ୍ୟାୟ ମାଗିଛନ୍ତି।

ଏ ନେଇ ଶ୍ରମତୀ ବେଦୀ ଏକ ନିଷ୍ପତ୍ତି ନିଅ ଏବଂ ସେଥିରେ କଠୋର ରୁହ ବୋଲି ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ କହିଛନ୍ତି। ଗତ ମଙ୍ଗଳବାର ଦିଲ୍ଲୀ ପୁଲିସ କର୍ମଚାରୀମାନେ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସମୟରେ କିରଣ ବେଦୀଙ୍କ ଫଟୋ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

କିରଣ ବେଦୀ ପୁଲିସ କମିଶନର ଥିବାବେଳେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ପଦପଦବୀକୁ ନ ଦେଖି ସମସ୍ତଙ୍କୁ ସମାନ ଭାବେ ସମର୍ଥନ କରୁଥିଲେ। ଏହାର ଦୃଷ୍ଟାନ୍ତ ଦେଇ କିରଣ ବେଦୀଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ଫେରାଇ ଆଣିବାକୁ ସେମାନେ ଦାବି କରିଥିଲେ।