ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି କଡ଼କଡ଼ଡୁମାରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରାଲି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ରାଲି ଆରମ୍ଭ ହୋଇଯାଇଥିବା ବେଳେ ପ୍ରତ୍ୟେକ ଦଳୀୟ ପ୍ରାର୍ଥୀ ପ୍ରଚାର ଜୋରଦାର କରିଛନ୍ତି। ତେବେ ଆସନ୍ତା ଫେବୃଆରୀ ୮ତାରିଖରେ ଭୋଟ୍‌ ଗ୍ରହଣ ହେବ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବ ଦିଲ୍ଲୀର କଡ଼କଡ଼ଡୁମାରୁ ପ୍ରଥମ ରାଲିରେ ଉଦ୍‌ବୋଧନ ଦେବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅପରାହ୍ଣ ପ୍ରାୟ ୨ଟା ବେଳେ କଡ଼କଡ଼ଡୁମାର ସିବିଡି ମୈଦାନରୁ ଏହି ରାଲି ବାହାରିବ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଫେବୃଆରୀ ୩ ତାରିଖ ଦିନ ପୂର୍ବଦିଲ୍ଲୀର କଡ଼କଡ଼ଡୁମା ଠାରେ ପ୍ରଧାନମନ୍ତ୍ରୀଙ୍କର ଗୋଟେ ରାଲି ଆୟୋଜନ କରାଯାଉଥିବା ବେଳେ ଫେବୃଆରୀ ୪ତାରିଖରେ ଦ୍ୱାରକାରେ ରାଲି ଆୟୋଜନ କରାଯିବ।

ବିଜେପିର ଷ୍ଟାର ପ୍ରଚାରକ ମୋଦୀ ମଙ୍ଗଳବାର ଦିନ ମଧ୍ୟ ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନ୍ୟ ଏକ ରାଲିରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ବଜେଟ୍ ପରେ ଏ ଦୁଇଟି ରାଲିର ଯୋଜନା କରାଯାଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଦଳ ଆଶାକରୁଛି। ନିର୍ବାଚନ ଆଚରଣ ବିଧି ଅନୁସାରେ, ଗୁରୁବାର  ସନ୍ଧ୍ୟା ୫ଟା ଯାଏଁ ରାଜନୈତିକ ଦଳମାନଙ୍କୁ ରାଲି ଆୟୋଜନ ଲାଗି ଅନୁମତି ଦିଆଯିବ। ଏହା ପରେ ପ୍ରଚାର ଅଭିଯାନ ନିଷେଧ କରାଯିବ। ଏହାସହ ଫେବୃଆରୀ ୧୧ ତାରିଖ ଦିନ ଭୋଟ୍‌ ଗଣନା ଆରମ୍ଭ ହେବ।