ଖୁବଶୀଘ୍ର ଆରମ୍ଭ ହୋଇପାରେ ମେଟ୍ରୋ ସେବା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ସୁବିଧା ପାଇଁ ୫ ମାସରୁ ବନ୍ଦ ଥିବା ମେଟ୍ରୋ ରେଳସେବା ଖୁବଶୀଘ୍ର ଆରମ୍ଭ ହୋଇପାରେ। ଜଣେ ଅଧିକାରୀଙ୍କ କହିବା ମୁତାବକ, ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅନଲକ-୪ରେ ମେଟ୍ରୋ ରେଳସେବାକୁ ଅନୁମତି ମିଳିପାରେ। କିନ୍ତୁ ସ୍କୁଲ ଓ କଲେଜ ନିକଟ ଅତୀତରେ ଖୋଲିବାର କୌଣସି ସମ୍ଭାବନା ନାହିଁ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଲକଡାଉନ ଜାରି ହେବାପରେ ମେଟ୍ରୋ ରେଳସେବା ଉପରେ କଟକଣା ଲାଗିଥିଲା। ଦିଲ୍ଲୀ ଏନସିଆରର ପାଖାପାଖି ଲକ୍ଷେ ଲୋକ ମୋଟ୍ରୋ ରେଳରେ ଯାତାୟତ କରିଥାନ୍ତି କିନ୍ତୁ ଲକଡାଉନ ପରେ ସବୁକିଛି ବନ୍ଦ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରୀକ୍ଷା ଆଧାରରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଦିଲ୍ଲୀରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଆମେ ମେଟ୍ରୋ ସେବା ଆରମ୍ଭ କରିବାକୁ ଚାହୁଁଛୁ ବୋଲି କେଜ୍ରିୱାଲ ଟ୍ୱିଟ୍ କରିଛନ୍ତି। ଏଥିସହିତ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିବେ ବୋଲି କେଜ୍ରିୱାଲ ଆଶା ପ୍ରକଟ କରିଛନ୍ତି।