ପ୍ରାର୍ଥୀପତ୍ର ଦାଖଲ କରିବାକୁ ୬ ଘଣ୍ଟା ଅପେକ୍ଷା କଲେ କେଜରିୱାଲ

ନୂଆଦିଲ୍ଲୀ,ଏଜେନ୍ସି : ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ମଙ୍ଗଳବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସଷ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରାର୍ଥୀପତ୍ର୍ର ଦାଖଲ କରିବା ପାଇଁ ୬ ଘଣ୍ଟା ଲାଇନ୍ରେ ଅପେକ୍ଷା କରିବାକୁ ପଡ଼ିଥିଲା। ଦିନ ୧୨.୩୦ରେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ କେଜରିୱାଲ। ଏହି ସମୟରେ କେଜରିୱାଲଙ୍କ ସହ ଥିଲେ ପିତାମାତାଙ୍କ ସମେତ ତାଙ୍କ ପରିବାର। ଆମ୍ ଆଦମୀ ପାର୍ଟି ନେତା ପଙ୍କଜ ଗୁପ୍ତା ଓ ଗୋପାଲ ମୋହନ ମଧ୍ୟ ତାଙ୍କ ସହ ଯାଇଥିଲେ।

କେଜରିୱାଲଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ସେ ଗତ ସୋମବାର ମନୋନୟନପତ୍ର ଦାଖଲ କରିବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ଦଳ ପକ୍ଷରୁ ଏକ ବଡ଼ଧରଣର ରୋଡ଼ ଶୋ’ ଆୟୋଜିତ ହୋଇଥିବାରୁ ସେ ନିର୍ଦ୍ଧାରିତ ସମୟ ଅପରାହ୍ଣ ୩ଟା ସୁଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚି ନପାରିବାରୁ ପ୍ରାର୍ଥୀପତ୍ର୍ର ଦାଖଲ କରିପାରି ନଥିଲେ। ମଙ୍ଗଳବାର ପ୍ରାର୍ଥୀପତ୍ର୍ର ଦାଖଲର ଶେଷ ଦିବସ ହୋଇଥିବାରୁ ପ୍ରାୟ ୧୦୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିଲେ। ଟୋକନ୍ ସିଷ୍ଟମରେ ପ୍ରାର୍ଥୀମାନେ ମନୋନୟନପତ୍ର ଦାଖଲ କରିଥିଲେ। କେଜରିୱାଲଙ୍କର ଟୋକନ୍ ନମ୍ବର ଥିଲା ୪୫। ଫଳରେ ତାଙ୍କୁ ଦୀର୍ଘସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

ପ୍ରାର୍ଥୀପତ୍ର  ଦାଖଲ କରାଇ ନଦେବାକୁ ବିଜେପିର ଚାଲ

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଶେଷଦିନରେ ୧୦୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ସେଠାରେ ରୁଣ୍ଡ ହୋଇଥିଲେ। ଆପ୍ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି, ପ୍ରାୟ ୩୫ ଜଣ ପ୍ରାର୍ଥୀଙ୍କର ମନୋନୟନପତ୍ରରେ ତ୍ରୁଟି ରହିଥିଲା।

ପ୍ରତ୍ୟେକ ମନୋନୟନପତ୍ରରେ ୧୦ ଜଣ ପ୍ରସ୍ତାବକ ସ୍ୱାକ୍ଷର ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ଏହି ୩୫ ଜଣ ପ୍ରାର୍ଥୀଙ୍କ କ୍ଷେତ୍ରରେ ତାହା ହୋଇନଥିଲା। ସେମାନେ ନିଜନିଜର ପ୍ରସ୍ତାବକଙ୍କୁ ଫୋନ୍ରେ ଡକାଇବା ଦେଖାଯାଇଥିଲା। କେଜରିୱାଲ ଯେପରି ମନୋନୟନପତ୍ର ଦାଖଲ କରିନପାରିବେ ସେହି ଉଦ୍ଦେଶ୍ୟରେ ଏହି ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ବୋଲି ଆପ୍ ନେତା ଭରଦ୍ୱାଜ ଅଭିଯୋଗ କରିଛନ୍ତି। ଏହା ବିଜେପିର ଚାଲ ବୋଲି ସେ କହିଛନ୍ତି। ତେବେ ମନୋନୟନପତ୍ର ଦାଖଲ କରିସାରିବା ପରେ କେଜରିୱାଲ ଟ୍ୱିଟରରେ ଭରଦ୍ୱାଜଙ୍କୁ ଚୁପ୍ ରହିବାକୁ ପରାମର୍ଶ ଦେଇଛନ୍ତି।