ମୁମ୍ବାଇକୁ ହରାଇଲା ଦିଲ୍ଲୀ, ଅମିତଙ୍କୁ ୪ ୱିକେଟ

ଚେନ୍ନଇ,ଏଜେନ୍ସି: ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ହୋଇଛି। ଅମିତ ମିଶ୍ରଙ୍କ ୪ ୱିକେଟ ଓ ପରେ ଶିଖର ଧାୱନଙ୍କ ଲଢ଼ୁଆ ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ। ମୁମ୍ବାଇ ଇଣ୍ଡିଆନ୍‌ସ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ୪୪ ରନ୍ ସହ ୯ ୱିକେଟରେ ୧୩୭ ରନ୍ କରି ପାରିଥିଲା। ପରେ ଧାୱନଙ୍କ ୪୫ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସ ୧୯.୧ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ୪ର୍ଥ ମ୍ୟାଚରେ ଏହା ଦିଲ୍ଲୀର ୩ୟ ବିଜୟ ହୋଇଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ମୁମ୍ବାଇ ଇଣ୍ଡିଆନ୍‌ସ ୨ୟ ପରାଜୟ ଭୋଗିଛି। ୬ ପଏଣ୍ଟ ସହ ଦିଲ୍ଲୀ ୨ୟ ସ୍ଥାନକୁ ଉତୀର୍ଣ୍ଣ ହୋଇଛି।

ମୁମ୍ବାଇ ଇଣ୍ଡିଆନ୍‌ସ ଟସ୍ ଜିତିବା ପରେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବାମହାତି ଓପନର କ୍ବିଣ୍ଟନ୍ ଡି କକ୍ ୨ ରନ୍ ‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ୪ ଓଭରରେ ୫୮ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୧୫ ବଲ‌ରେ ୪ଟି ଚୌକା ସହ ୨୪ ରନ୍‌ କରି ଆଉଟ ହୋଇଥିଲେ। ରୋହିତ ୩୦ ବଲ ଖେଳି ୩ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍ କରିଥିଲେ। ରୋହିତ ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ ଅମିତ ମିଶ୍ର। ବରିଷ୍ଠ ଲେଗ‌ସ୍ପିନର ଅମିତ ମିଶ୍ର ୪ଟି ୱିକେଟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟା ୦, କ୍ରୁନାଲ ପାଣ୍ଡ୍ୟା ୧ ଓ କୈରନ୍ ପୋଲାର୍ଡ ୨ ରନ୍‌ କରି ଆଉଟ ହୋଇଥିଲେ। ପରେ ଇଶାନ୍ କିଷନ୍ ଓ ଜୟନ୍ତ ଯାଦବ ୩୯ ରନ୍ ଯୋଡ଼ି ଦଳର ସମ୍ମାନ ବଞ୍ଚାଇଥିଲେ। ବାମହାତି କିଷନ୍ ୨୮ ବଲ ଖେଳି ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ୨୬ ରନ୍ କରିଥିଲେ। ଜୟନ୍ତ ଯାଦବ ୨୨ ବଲରେ ୨୩ ରନ୍‌ କରିଥିଲେ। ଅମିତ ମିଶ୍ର ୪ଟି ଓ ଆଭେସ୍ ଖାଁ ୨ଟି ୱିକେଟ ପାଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୩୮ ରନ୍ ଲକ୍ଷ୍ୟରେ ଓପ‌ନିଂ ଯୋଡ଼ିରେ ୧୧ ରନ୍ କରିଥିଲେ। ପୃଥ୍ବୀ ସ’ ୭ ରନ କରି ବିଦାୟ ନେଇଥିଲେ। ପରେ କ୍ରିଜରେ ଏକାଠି ହୋଇଥିଲେ ଦୁଇ ଅଭିଜ୍ଞ ବ୍ୟାଟ‌ସମ୍ୟାନ୍ ଶିଖର ଧାୱନ୍‌ ଓ ଷ୍ଟିଭେନ୍ ସ୍ମିଥ୍। ଦୁହେଁ ୫୩ ରନ୍ ଯୋଡ଼ିଥିଲେ। ଅଷ୍ଟ୍ରେଲିଆର ସ୍ମିଥ୍ ୨୯ ବଲରେ ୪ଟି ଚୌକା ସହ ୩୩ ରନ କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ୍ ଓ ଲଳିତ ଯାଦବ ଧୀରେ ସୁସ୍ଥେ ସ୍କୋର‌କୁ ଆଗେଇ ନେଇଥିଲେ। ଦୁହେଁ ୩୬ ରନ୍ ଯୋଡ଼ିବା ପରେ ଧାୱନ୍ ଆଉଟ ହୋଇଥିଲେ। ଧାୱନ ୪୨ ବଲରେ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍ କରିଥିଲେ। ଅଧିନାୟକ ଋଷଭ ପନ୍ତ ୭ ରନ୍ କରି ପାରିଥିଲେ। ଲଳିତ ଯାଦବ ଦୀର୍ଘ ସମୟ ବ୍ୟାଟିଂ କରି ୨୫ ବଲ୍‌ରୁ ଗୋଟିଏ ଚୌକା ସହ ୨୨ ଏବଂ ସିମ୍ରନ୍ ହିଟ‌ମେୟର ୯ଟି ବଲରେ ୨ଟି ଚୌକା ସହ ୧୪ ରନ କରି ଅପରାଜିତ ଥିଲେ। ଅମିତ ମିଶ୍ର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।