ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୧୬୩କୁ ବୃଦ୍ଧି

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ପରେ ମୋଟ ଜୋନ୍ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ଘୋଷିତ ତାଲିକା ଅନୁସାରେ ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଦିଲ୍ଲୀରେ ୩୧ଟି ଲେଖାଏଁ କଣ୍ଟେନମେଣ୍ଟ ଜୋନ୍ ରହିଛି। ଇତିମଧ୍ୟରେ ୫୯ଟି ଜୋନ୍କୁ କଟକଣାମୁକ୍ତ କରାଗଲାଣି।

ବିଗତ ୨୪ ଘଣ୍ଟା ଭିତରେ ଭାରତରେ ୯୩୦୪ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ଯାହା ପୂର୍ବ ତୁଳନାରେ ଯଥେଷ୍ଟ ଅଧିକ। ବର୍ତ୍ତମାନ ସୁଦ୍ଧା ଭାରତରେ କୋଭିଡ୍-୧୯ ମାମଲା ୨ ଲକ୍ଷ ୧୬ ହଜାର ୯୧୯କୁ ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ଭାରତ କୋଭିଡ-୧୯ ଆକ୍ରାନ୍ତ ତାଲିକାର ସପ୍ତମ ସ୍ଥାନରେ ଅଛି। ଭାରତ ଆଗରେ ଆମେରିକା, ବ୍ରାଜିଲ, ରୁଷିଆ, ବ୍ରିଟେନ, ସ୍ପେନ୍ ଓ ଇଟାଲୀ ଅଛନ୍ତି। ବିଗତ ୨୪ ଘଣ୍ଟାରେ ଭାରତରେ ୨୬୦ ଜଣ କୋଭିଡ୍-୧୯ ଆକ୍ରାନ୍ତ ମରିଛନ୍ତି।

ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୧୨୨, ଦିଲ୍ଲୀର ୫୦, ଗୁଜରାଟର ୩୦, ତାମିଲନାଡୁର ୧୧, ପଶ୍ଚିମବଙ୍ଗର ୧୦ ଅଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ତେଲଙ୍ଗାନାର ୭ ଜଣ ଲେଖାଏଁ, ରାଜସ୍ଥାନର ୬, ଆନ୍ଧ୍ରପ୍ରଦେଶର ୪ ଜଣ କରୋନା ଆକ୍ରାନ୍ତ ମଧ୍ୟ ମରିଛନ୍ତି। ତେବେ ବିହାର, ଛତିଶଗଡ଼, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ପଞ୍ଜାବ ଓ ଉତ୍ତରାଖଣ୍ଡର ଜଣେ ଲେଖାଏଁ କରୋନା ରୋଗୀ ମରିଥିବାର ଜଣାପଡ଼ିଛି। ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୨୩ ହଜାରକୁ ଟପିଗଲାଣି। ବୁଧବାର ଦିଲ୍ଲୀରେ ୧୫୧୩ ନୂତନ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଇତିମଧ୍ୟରେ ଦିଲ୍ଲୀରେ ୬୦୬ ଜଣ କରୋନା ରୋଗୀ ମରିଛନ୍ତି। କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ସତ୍ତେ୍ୱ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହୁଛନ୍ତି ଯେ ଦିଲ୍ଲୀରେ କୋଭିଡ୍-୧୯ ମାମଲା ନିୟନ୍ତ୍ରଣ ଆଡ଼କୁ ଗତି କରୁଛି। ରୋଗୀଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ମହଜୁଦ ଅଛି।