ଆଇପିଏଲ୍ ପୂର୍ବରୁ ମୁମ୍ବାଇରେ ପହଞ୍ଚିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,ଏଜେନ୍ସି: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇରେ ପହଞ୍ଚିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି। ଏକାଧିକ ବରିଷ୍ଠ ଖେଳାଳି ମୁମ୍ବାଇରେ ପହଞ୍ଚିବା ସହିତ କ୍ୱାରେଣ୍ଟାଇନରେ ପ୍ରବେଶ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ବରିଷ୍ଠ ଖେଳାଳି ଇଶାନ୍ତ ଶର୍ମା, ଉମେଶ ଯାଦବ, ଅମିତ ମିଶ୍ର ଓ ଲଳିତ ଯାଦବ ମୁମ୍ବାଇରେ ପହଞ୍ଚିବା ସହିତ ଟିମ୍ ହୋଟେଲରେ କ୍ୱାରେଣ୍ଟାଇନରେ ରହିଛନ୍ତି। ଆସନ୍ତା ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଖେଳାଳି ମାନେ କ୍ୱାରେଣ୍ଟାଇନରେ ରହିବେ। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ଏପ୍ରିଲ ୧୦ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଶ୍ରେୟସ୍ ଆୟର ଆହତ ହୋଇଥିବା କାରଣରୁ ଆଇପିଏଲର ପ୍ରଥମାର୍ଦ୍ଧ ମିସ୍ କରିବାର ସମ୍ଭାବନା ରହିଛି। ଏହା ସହିତ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ପ୍ରସ୍ତୁତି ଚଳାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ବିଜୟର ପ୍ରମୁଖ ବିନ୍ଧାଣୀ ରାହାଣେ ଇଂଲଣ୍ଡ ବିପକ୍ଷ ସିରିଜ୍ ପରେ ଦୁଇ ସପ୍ତାହ ଧରି ବ୍ରେକରେ ଅଛନ୍ତି। ପୂର୍ବରୁ ରାହାଣେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ବେଳେ ଆୟରଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି। ଏହା ବ୍ୟତିତ ଅଷ୍ଟ୍ରେଲୀୟ ଷ୍ଟିଭ୍ ସ୍ମିଥ୍ ଓ ବରିଷ୍ଠ ଅଫ୍ ସ୍ପିନର ଆର. ଅଶ୍ୱିନ୍ ମଧ୍ୟ ଅଧିନାୟକ ଦୌଡରେ ରହିଛନ୍ତି।