ଆଇପିଏଲ୍‌: ମାର୍ଶ-ୱାର୍ଣ୍ଣରଙ୍କ ବ୍ୟାଟିଂରେ ଜିତିଲା ଦିଲ୍ଲୀ, ରାଜସ୍ଥାନକୁ ୮ ୱିକେଟ୍‌ରେ ହରାଇଲା

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୮ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଡ. ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୦ ରନ୍ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୮.୧ ଓଭରରେ ହାସଲ କରିଥିଲା। ଦିଲ୍ଲୀର ବିଜୟରେ ମିଚେଲ୍ ମାର୍ଶ ଓ ଡେଭିଡ ୱାର୍ଣ୍ଣର ହିରୋ ସାଜିଥିଲେ।

ରାଜସ୍ଥାନକୁ ଆରମ୍ଭରୁ ଝଟକା ଲାଗିଥିଲା। ପ୍ରାରମ୍ଭିକ ବ୍ୟାଟର ଶ୍ରୀକର ଭରତ ୨ଟି ବଲ୍ ସାମ୍ନା କରି କୌଣସି ରନ୍ କରିପାରି ନଥିଲେ। ସେ ପାଭଲିଅନକୁ ଫେରିଯିବା ପରେ ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ଟିମ୍‌ର ଦାୟିତ୍ୱ ତୁଲାଇଥିଲେ। ସେମାନେ ଦ୍ୱିତୀୟ ୱିକେଟ୍ ପାଇଁ ୧୪୩ ରନ୍ ଯୋଡ଼ିଥିଲେ। ୱାର୍ଣ୍ଣର ନିଜ ପାଳିରେ ବ୍ୟକ୍ତିଗତ ଭାବେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୪୧ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ମାର୍ଶ ୬୨ଟି ବଲ୍ ଖେଳି ୮୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୫ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ଅଧିନାୟକ ଋଷଭ ପନ୍ତ ୨ଟି ଛକା ବଳରେ ୧୩ ରନ୍ କରିଥିଲେ। ସେ ୪ଟି ବଲ୍ ସାମ୍ନା କରିଥିଲେ।