ସପ୍ତାହକ ପାଇଁ ଦିଲ୍ଲୀ ସୀମା ସିଲ୍ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାକୁ ସପ୍ତାହକ ପାଇଁ ବନ୍ଦ କରି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀ ସେବା ପାଇଁ ସୀମା ଖୋଲା ରହିବ। ଆଉ ଜରୁରୀ ସେବା ସହିତ ଜଡ଼ିତ ଲୋକ ପାସ୍ ଦେଖାଇ ଯା’ଆସ କରିପାରିବେ। କରୋନାରୁ ବଢ଼ୁଥିବା ସଙ୍କଟକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥି ସହିତ ଜୁନ୍ ୮ ପରେ ଦିଲ୍ଲୀ ସୀମାର ଖୋଲାଯିବା ଦରକାର କି ନାହିଁ ଲୋକଙ୍କୁ ରାୟ ମାଗିଛନ୍ତି। ଶୁକ୍ରବାର ସୁଦ୍ଧା ନିଜ ମତାମତ ଜଣାଇବା ପାଇଁ କହିଛନ୍ତି।
କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅନଲକ୍-୧କୁ ଲାଗୁ କରାଯିବ। ଏହାଦ୍ୱାରା ଦିଲ୍ଲୀର ସମସ୍ତ ଦୋକାନ, ବଜାର, ସେଲୁନ, ବ୍ୟୁଟି ପାର୍ଲର ଖୋଲିବ କିନ୍ତୁ ସ୍ପା ସେଣ୍ଟର ବନ୍ଦ ରହିବ। ଦୋକାନ, ବଜାର ଖୋଲିବା ପାଇଁ ଅଡ-ଇଭନ୍ ନିୟମ ଲାଗୁ ହେବ ନାହିଁ। ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲିବାସୀ ହିଁ ଚିକିତ୍ସିତ ହୋଇପାରିବେ। ରାତି ୯ରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ ଲାଗୁ ହେବ। ସବୁ ଇଣ୍ଡଷ୍ଟ୍ରୀ ଖୋଲା ରହିବ। ଦୁଇ ଚକିଆ ଗାଡ଼ିରେ ଏବେ ପଛରେ ଜଣେ ବସିକି ଯାଇପାରିବେ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।