ପ୍ରତ୍ୟେକ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କୁ ୫୦୦୦ ଟଙ୍କା : କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହରରେ ଥିବା ପ୍ରତ୍ୟେକ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫୦୦୦ ଟଙ୍କା ଅନୁଦାନ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। କୋଭିଡ୍ ସଙ୍କଟ ସମୟରେ ଏଭଳି ସହାୟତା ସେମାନଙ୍କର ଆର୍ଥିକ ବୋଝକୁ କିଛିମାତ୍ରାରେ ହାଲୁକା କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ଆଗାମୀ ଦୁଇମାସ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାଦ୍ୱାରା ୭୨ ଲକ୍ଷ କାର୍ଡଧାରୀ ଉପକୃତ ହେବେ ବୋଲି ଜଣାପଡିଛି। ତେବେ ଏହାଦ୍ୱାରା ଦିଲ୍ଲୀରେ ଲକ୍ଡାଉନ ଦୁଇମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ୪୪,୦୦୦ ନିର୍ମାଣ ଶ୍ରମିକଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିସାରିଛନ୍ତି।