ଦିଲ୍ଲୀ ହିଂସାକାଣ୍ଡ ପଛରେ ପାକିସ୍ତାନର ହାତ, ବାହାରୁ ଆସିଛି ୫ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଳୀର ଲାଲକିଲ୍ଲାରେ ଗଣତନ୍ତ୍ର ଦିବସ ପାଳନ ବେଳେ ଘଟିଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା ଭାରତୀୟ ଗୁଇନ୍ଦାସଂସ୍ଥାର ରିପୋର୍ଟରୁ ଜଣାପଡିଛି।
ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସ୍ଆଇ ପକ୍ଷରୁ ପ୍ରାୟ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିଖ୍ ଉଗ୍ରବାଦୀ ସଂଗଠନ ବାବର ଖାଲସାର ଜର୍ମାନ ଶାଖାକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ଏହାଛଡ଼ା କାନାଡ଼ା, ଆମେରିକା, ବ୍ରିଟେନ, ଇଟାଲି, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପ୍ରଭୃତି ଦେଶରେ ଥିବା ଶିଖ୍ ସଂଗଠନଗୁଡ଼ିକ ଏଥିପାଇଁ ଚାନ୍ଦା ଯୋଗାଇଥିଲେ। ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଚାନ୍ଦା ସଂଗ୍ରହ କରାଯାଇଥିଲା। ଏହି ଅର୍ଥ ହାୱାଲା ମାଧ୍ୟମରେ ଭାରତକୁ ଅଣାଯାଇଥିଲା। ପଞ୍ଜାବର ବିଭିନ୍ନ ଶିଖ ସଂଗଠନର ସଦସ୍ୟମାନଙ୍କୁ ଅର୍ଥ ବିନିମୟରେ ଆନ୍ଦୋଳନରେ ସାମିଲ କରାଯାଇଥିଲା।
ଆମେରିକାରେ ଥିବା ଶିଖ୍ ଫର ଜଷ୍ଟିସ ପକ୍ଷରୁ ଲାଲକିଲ୍ଲାରେ ଖଲିସ୍ତାନୀ ପତାକା ଉଡାଇବା ପାଇଁ ଅଢେଇଲକ୍ଷ ଡଲାରର ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ସିଂଘୁ ସୀମାରେ ଖଲିସ୍ତାନୀ ପତାକା ଉଡାଇବା ପାଇଁ ୧ ହଜାର ଡଲାର ଦିଆଯାଇଥିଲା ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି।