ପୁଣି କଂଗ୍ରେସର ସଭାପତି ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ, ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କଂଗ୍ରେସର ସଭାପତି ନିର୍ବାଚନ ପୁଣି ସ୍ଥଗିତ ରହିଛିି। ସୋମବାର କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଭର୍ଚୁଆଲ ମାଧ୍ୟମରେ ବସି ଏହି ନିଷ୍ପତ୍ତି ନିଆଯାଇଛି। କରୋନା ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ସଭାପତି ନିର୍ବାଚନ ସ୍ଥଗିତ ରହିବ ବୋଲି ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି। ଜୁନ୍ ୨୩ରେ ସଭାପତି ନିର୍ବାଚନ ପାଇଁ ଆୟୋଜନ କରାଯିବାକୁ ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟ, କଂଗ୍ରେସର ଜଣେ ସ୍ଥାୟୀ ସଭାପତି ନିର୍ବାଚନ ଲାଗି ପ୍ରାୟ ଏକ ବର୍ଷ ହେଲା ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଶଶୀ ଥରୁର୍ ଓ କପିଲ ଶିବଲ ପ୍ରମୁଖ ଦାବିକରି ଆସୁଛନ୍ତି।
୫ ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ସମ୍ପର୍କରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସମୀକ୍ଷା କରାଯାଇଥିଲା। ଏଥିରେ ଭାଗନେଇ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ, ଏହି ରାଜ୍ୟଗୁଡ଼ିକରେ କଂଗ୍ରେସର ପରାଜୟ ସମ୍ପର୍କରେ ସମୀକ୍ଷା କରିବାର ସମୟ ଆସିଛି। ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼ିଛି, ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ କରାଯିବା ଦରକାର। ସେ କହିଲେ, କେରଳ ଓ ଆସାମରେ ଅବସ୍ଥାପିତ ହୋଇଥିବା ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆମେ କାହିଁକି ବିଫଳ ହେଲେ ଏବଂ ପଶ୍ଚିମବଙ୍ଗରେ କାହିଁକି ଆମେ ଖାତା ଖୋଲିପାରିଲେ ନାହିଁ ତାହା ଭଲ ଭାବରେ ସମୀକ୍ଷା କରାଯିବା ଦରକାର। ଏହା ଆମ ପାଇଁ ଏକ ବଡ଼ ଶିକ୍ଷା। ଯଦି ଆମେ ବାସ୍ତବତାକୁ ସାମ୍ନା କରିପାରିବା ନାହିଁ, ତା’ହେଲେ ଆମେ ମଧ୍ୟ ଏଥିରୁ କିଛି ଶିଖିପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଏବେ ନିକଟରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।