ଉତ୍ତରାଖଣ୍ଡରେ ପ୍ରବେଶ ପାଇଁ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ

ଡେରାଡୁନ୍, ଏଜେନ୍ସି: ଉତ୍ତରାଖଣ୍ଡରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଡେରାଡୁନ୍ ପୁଲିସ ରାଜ୍ୟ ବାହାରୁ ଆସୁଥିବା ନାଗରିକଙ୍କ ପ୍ରତି କଟକଣା ଜାରି କରିଛି। ଯେଉଁମାନେ ଉତ୍ତରାଖଣ୍ଡ ବାହାରୁ ବିଶେଷକରି ଦିଲ୍ଲୀରୁ ଡେରାଡୁନ୍ ଆସିବେ ସେମାନଙ୍କ ପାଇଁ ଏଭଳି କଟକଣା ଜାରି କରାଯାଇଛି। ଡେରାଡୁନ୍ ଆସୁଥିବା ଲୋକଙ୍କୁ ଆସକ୍ରୋଦି, କୁଲହନ୍ ଓ ପାସଗେଟ୍ ବର୍ଡର ଚେକ୍ପୋଷ୍ଟରେ ପରୀକ୍ଷା କରାଯିବ ବୋଲି ଡେରାଡୁନ୍ ଡିଆଇଜି ଅରୁଣ ମୋହନ ଯୋଶୀ କହିଛନ୍ତି। ଇତି ମଧ୍ୟରେ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ରେ ରବିବାର ଠାରୁ ସପ୍ତାହକ ପାଇଁ ଲକଡାଉନ୍ ଜାରିହୋଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନଗୁଡିକ ଖୋଲା ରହିବ ବୋଲି ସରକାର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୪୯୬ ଜଣଙ୍କ ମୃତ୍ୟୁ ଘଟିଛି।