ଯୁବପିଢ଼ିଙ୍କୁ ପ୍ରଭାବିତ କରୁଛି ଡ୍ରଗ୍ସ, ଏହା ଦେଶର ଭବିଷ୍ୟତ ପାଇଁ ବଡ଼ ବିପଦ- ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀ ତଥା ଇଣ୍ଡିଆନ କୋଷ୍ଟ ଗାର୍ଡର ଏକ କାର୍ଯ୍ୟକ୍ରମକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ଦେଶ ପ୍ରତି ଆସିଥିବା ଏକ ବଡ଼ ସଙ୍କଟ ବିଷୟରେ କହିଥିଲେ। ବର୍ତ୍ତମାନର ଯୁବପିଢ଼ି ବହୁମାତ୍ରାରେ ଡ୍ରଗ୍ସ ଦ୍ୱାରା ପ୍ରଭାବିତ ହେଉଛନ୍ତି, ଯାହା ଆଗାମୀ ଭବିଷ୍ୟତରେ ଏକ ବଡ଼ ବିପଦ ଆଣିବ। ଏଭଳି ନିଷେଧ ଦ୍ରବ୍ୟର ଅବାଧ କାରବାରକୁ ବନ୍ଦ କରିବା ଜରୁରୀ ହୋଇପଡ଼ିଛି ବୋଲି ରାଜନାଥ କହିଛନ୍ତି। ଫଳରେ ଦେଶର ଅର୍ଥବ୍ୟବସ୍ଥା ସହିତ ଦେଶର ଭବିଷ୍ୟତକୁ ସୁରକ୍ଷିତ ଓ ସୁଦୃଢ଼ କରାଯାଇପାରିବ।

ଏଥିସହ ରାଜନାଥ କହିଛନ୍ତି କି, ଅସ୍ତ୍ରଶସ୍ତ୍ରର ଚୋରା ଚାଲାଣ ଓ ଧଳା ଜହରର ଚାଲାଣ ବିରୋଧରେ ତଟରକ୍ଷୀ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ବେଶ୍ ପ୍ରଶଂସନୀୟ। ଏଭଳି ଜିନିଷ ଗୁଡ଼ିକ କେବଳ ଆମର ଅର୍ଥବ୍ୟବସ୍ଥାକୁ ନୁହେଁ ଆମର ସମାଜ ଓ ରାଷ୍ଟ୍ର ପ୍ରତି ମଧ୍ୟ ଖରାପ ପ୍ରଭାବ ପକାଉଛି।