ଚୀନ ସହ ସଂଘର୍ଷ ମଧ୍ୟରେ ଆକ୍ସନ ମୋଡରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ପୂର୍ଣ୍ଣ ରୂପେ ଆକ୍ସନ ମୋଡରେ ଅଛନ୍ତି। ବର୍ତ୍ତମାନ ଜାରି ରହିଥିବା ପରିସ୍ଥିତିକୁ ନେଇ ରାଜନାଥ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଉକ୍ତ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ସୀମା ସୁରକ୍ଷାରେ ଜଡ଼ିତ ଅନେକ ଅଧିକାରୀ ସାମିଲ ଥିଲେ।

ଭାରତୀୟ ସେନା ମୁତାବିକ, ଭାରତ ଓ ଚୀନ ମଧ୍ୟରେ ଏଲଏସିସ୍ଥିତ ଚୁସୁଲରେ ବ୍ରିଗେଡରସ୍ତରୀୟ ଆଲୋଚନା ଚାଲିଛି। ଚୁସୁଲରେ ବ୍ରିଗେଡରସ୍ତରୀୟ ବୈଠକ ଚାଲିଥିବା ସମୟରେ ପାଙ୍ଗୋଙ୍ଗ ହ୍ରଦରେ ଚୀନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା।

ଭାରତୀୟ ସେନା ପ୍ରବକ୍ତା କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ, ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ଯୋଗୁ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ଓ ରାଜନୈତିକସ୍ତରୀୟ ବୈଠକରେ ଯେଉଁ ଚୁକ୍ତି ହୋଇଥିଲା ଅଗଷ୍ଟ ୨୯ରେ ଚୀନ ତାକୁ ଉଲଂଘନ କରିଥିଲା। କିନ୍ତୁ ଚୀନ ସେନାର ସମସ୍ତ ଯୋଜନାକୁ ଭାରତୀୟ ସେନା ବିଫଳ କରିଦେଇଛି।