ଋଷ ପ୍ରତିପକ୍ଷଙ୍କ ସହ କଥାହେଲେ ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଗୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହି କଥାବାର୍ତ୍ତାରେ ଉଭୟ ଦ୍ବିପାକ୍ଷିକ ସମ୍ପର୍କ ସହ ବର୍ତ୍ତମାନ ବିଶ୍ବର ସାମ୍ପ୍ରତିକ ସମସ୍ୟା ନେଇ ଆଲୋଚନା କରିଥିଲେ ସୁଦ୍ଧା ବର୍ତ୍ତମାନର ୟୁକ୍ରେନ ସ୍ଥିତି ସମ୍ପର୍କିତ ଆଲୋଚନା ଗୁରୁତ୍ବପୂର୍ଣ୍ଣ ସ୍ଥାନ ନେଇଥିଲା ।

ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଡାର୍ଟି ବମ ବ୍ୟବହାର କରିବାର ଆଶଙ୍କା ପ୍ରକାଶ କରିଛନ୍ତି ଋଷ ପ୍ରତିରକ୍ଷା ମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ ଯୁଦ୍ଧରେ ଋଷ ବିରୋଧରେ ଏହି ଡାର୍ଟି ବମ ବ୍ୟବହାର କରିବାର ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ମସ୍କୋ । ମସ୍କୋ କହିଛି, ବର୍ତ୍ତମାନ ଏହି ବୋମା ବ୍ୟବହାର ନେଇ ୟୁକ୍ରେନ ଯୋଜନା କରିବା ଆରମ୍ଭ କରିସାରିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୁଗୁ ନିଜ ଭାରତୀୟ ପ୍ରତିପକ୍ଷ ରାଜନାଥଙ୍କୁ ମଧ୍ୟ ଅବଗତ କରିଛନ୍ତି । ପୂର୍ବରୁ ସମାନ ଅଭିଯୋଗ ସହ ଋଷ ଏହି ପ୍ରସଙ୍ଗରେ ଚୀନକୁ ମଧ୍ୟ ଅବଗତ କରିଥିଲା ।

ଅନ୍ୟପଟେ ୟୁକ୍ରେନ ସ୍ଥିତି ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ପ୍ରସଙ୍ଗରେ ପାରସ୍ପାରିକ ସହଯୋଗ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଆଲୋଚନା ନେଇ ଉଭୟ ଋଷ ବୈଦେଶିକ ମନ୍ତ୍ରଣାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ।