କ୍ରୀଡା ମହାକୁମ୍ଭରେ ଅଭିଯାନ ଆରମ୍ଭ କରିବେ ଦୀପିକା କୁମାରୀ

ଟୋକିଓ,ଏଜେନ୍ସି: ଆଜିଠୁ ବିଶ୍ୱ କ୍ରୀଡା ମହାକୁମ୍ଭ। ଟୋକିଓରେ ଆରମ୍ଭ ହେବାକୁ ଯାଉଛି ୩୨ ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା। ପ୍ରଥମ ଦିନରେ ଭାରତର ତୀରନ୍ଦାଜମାନେ ଆରମ୍ଭ କରିବେ ପ୍ରତିଦ୍ୱନ୍ଦ୍ୱିତା। ମହିଳା ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ମଧ୍ୟ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି।

ଆଜି ଭାରତୀୟ ତୀରନ୍ଦାଜମାନେ ର‍୍ୟାଙ୍କିଙ୍ଗ ରାଉଣ୍ଡରେ ଭାଗ ନେବେ। ର‍୍ୟାଙ୍କିଙ୍ଗ ରାଉଣ୍ଡରେ ମୋଟ୍‌ ୬୪ ଜଣ ତୀରନ୍ଦାଜ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ପଏଣ୍ଟ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଇଛି। ଟୋକିଓ ସେହିପରି ସର୍ବନିମ୍ନ ପଏଣ୍ଟ ହାସଲ କରିଥିବା ପ୍ରତିଯୋଗୀ ୬୪ ତମ ସ୍ଥାନରେ ରହିବେ। ର‍୍ୟାଙ୍କିଙ୍ଗ ରାଉଣ୍ଡ ପରବର୍ତ୍ତୀ ପଦକ ଅଭିଯାନ ପାଇଁ ପଥ ପ୍ରସ୍ତୁତ କରିବ।

ଉଦାହରଣ ସ୍ୱରୂପ ୧ନଂ ସ୍ଥାନରେ ରହିଥିବା ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ରାଉଣ୍ଡରେ ୬୪ ତମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାମ୍ନା କରିବେ। ସେହିପରି ୨ନଂ ପ୍ରତିଯୋଗୀ ୬୩ନଂ ପ୍ରତିଯୋଗୀଙ୍କୁ, ୩ନଂ ପ୍ରତିଯୋଗୀ ୬୨ନଂ ପ୍ରତିଯୋଗୀଙ୍କୁ ଭେଟିବେ। ୩୨ଜଣ ପ୍ରତିଯୋଗୀ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବେ। ସେହିପରି ପ୍ରି-କ୍ୱାର୍ଟରକୁ ୧୬, କ୍ୱାର୍ଟରକୁ ୮, ସେମି ଫାଇନାଲକୁ ୪ ପ୍ରତିଯୋଗୀ ଉନ୍ନୀତ ହେବେ। ର‍୍ୟାଙ୍କିଙ୍ଗ ରାଉଣ୍ଡ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ଏହି ରାଉଣ୍ଡରେ ଯଥା ସମ୍ଭବ ଅଧିକ ପଏଣ୍ଟ ହାସଲ କଲେ ପଦକ ଦୌଡରେ ପହଞ୍ଚିବା ସହଜ ହେବ। ଦୀପିକା ଭାରତର ପ୍ରମୁଖ ପଦକ ଦାବିଦାର। ପୂର୍ବରୁ ଲଣ୍ଡନ ଓ ରିଓ ଅଲିମ୍ପିକ୍ସରେ ସେ ସଫଳ ହୋଇପାରି ନଥିଲେ। ବର୍ତ୍ତମାନ ସେ ମାନ୍ୟତା ତାଲିକାର ଶୀର୍ଷରେ ରହିଛନ୍ତି। ସୂଚନା ମୁତାବିକ, ଦୀପିକା କୁମାରୀ ର‍୍ୟାଙ୍କିଙ୍ଗ ରାଉଣ୍ଡରେ ୮ ନମ୍ବର ସ୍ଥାନରେ ରହିଛନ୍ତି।