ଜଙ୍ଗଲରୁ ରକ୍ତ ଭିଜା ବାଇକ ଉଦ୍ଧାର ଘଟଣା: ବିଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଳଗାଁ ଫାଣ୍ଡି ଅଧୀନସ୍ଥ ଘୁନସର ଯୁକ୍ତ ୩ କଲେଜ୍ ନିକଟ ଜଙ୍ଗଲରୁ ଗତକାଲି ଏକ ରକ୍ତ ଭିଜା ବାଇକ ଓ ଚପଲ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଆଜି ପୁଲିସ ବିଲ ଭିତରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି। ମୃତକ ଜଣଙ୍କ ନୂଆପଡ଼ା ଗାଁର ଲେମ୍ବୁ ସାହୁ(୨୫)। ଗତ କିଛି ମାସ ତଳେ ଭୁକ୍ସିମାଲ ଗ୍ରାମର ଚଉଧୁରୀ ସାହୁ ଓ ଲେମ୍ବୁ ସାହୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ତେବେ ଚଉଧୁରୀ ସାହୁ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଗତକାଲି ଭୁକ୍ସିମାଲ ଗ୍ରାମର ଚଉଧୁରୀ ସାହୁଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧୨ଟା ସମୟରେ ଲେମ୍ବୁ ଘରୁ ମଧ୍ୟାହ୍ନ ଭୋଜନ ସାରି ଫସଲ ବୀମା କରିବା ପାଇଁ ଘୁନସରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି କରିଥିଲେ। ହେଲେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ଗତକାଲି ସକାଳେ ଜଙ୍ଗଲ ଭିତରେ ଏକ ରକ୍ତ ଭିଜା ବାଇକ ପଡ଼ିଥିବା ଶୁଣି ପରିବାର ଲୋକେ ସେଠାକୁ ଯାଇଥିଲେ। ପରେ ଏହା ଲେମ୍ବୁ ସାହୁର ବାଇକ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ତେବେ ଆଜି ବିଲ ଭିତରୁ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସଇଁତଳା ଥାନା ଅଧିକାରୀ ବାରିଣୀ ଦାସ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ, ବେଲଗା ଫାଣ୍ଡି ଅଧିକାରୀ ଅନାଦି ମଟାରି, ସାଇଣ୍ଟିଫିକ୍ ଟିମ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।