ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କୃଷିବିଭାଗ ପକ୍ଷରୁ ଚଳିତ ଖରିଫ ଋତୁରେ ୬୭ହଜାର ହେକ୍ଟର ଚାଷ ଜମିରେ କୃଷି ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇିଛି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫରେ ୩୪ହଜାର ୫ ଶହ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୩୨ହଜାର ୫ ଶହ ହେକ୍ଟର ଚାଷଜମିରେ ଅଣଧାନ କୃଷି ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେହିପରି ଜଳସେଚିତ ଅଞ୍ଚଳରେ ୩୧ହଜାର ୬ଶହ ହେକ୍ଟର କୃଷି ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବାବେଳେ ଏକ ହଜାର ହେକ୍ଟର ଧାନଚାଷ କରାଯାଉଥିବା ଚାଷ ଜମିକୁ ଅଣଧାନ କୃଷି ପାଇଁ ପରିବର୍ତ୍ତନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେହିପରି ଧାର୍ଯ୍ୟ କରାଯାଇଥିବା ଧାନ ଫସଲ ପାଇଁ ୪ହଜାର ୪୫୭ କ୍ୱିଣ୍ଟାଲ ଧାନ ବିହନର ଆବଶ୍ୟକତା ଥିବାବେଳେ ଜିଲ୍ଲାକୁ ୪ହଜାର ୩ଶହ କ୍ୱିଣ୍ଟାଲ ଧାନ ବିହନ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଇଥିବା ଜଣାପଡିଛି। ସମସ୍ତ ବିହନକୁ ପାକ୍ସ ଓ ଡିଲର ମାଧ୍ୟମରେ ଚାଷୀମାନଙ୍କୁ ଯୋଗଇ ଦିଆଯାଇଥିବାବେଳେ ଚଳିତବର୍ଷ ବିହନର ସାମାନ୍ୟ ଅଭାବ ପରିଲକ୍ଷିତ ହୋଇଛି। ଚଳିତବର୍ଷ ଜିଲ୍ଲାର ଚାଷୀମାନଙ୍କ ପାଇଁ ପୂଜା, ବୀଣା, କଳାଚମ୍ପା, ହସାନ୍ତ, ସମ୍ପଦ, ସିଆର ୧୦୦୯, ଏମ୍ଏଲ ପିୟୁ ୧୦୦୧, ୭୦୨୯, ୧୧୫୩, ୧୧୫୬ଓ ୧୦୬୪ କିସମର ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବାବେଳେ ପୂଜା ଚାଷୀମାନଙ୍କ ମୁଖ୍ୟ ପସନ୍ଦ ରହିଥିଲେ ମଧ୍ୟ ଏହି ବିହନ ଯୋଗାଣ ଧିରେଧିରେ ବନ୍ଦ ହେବାକୁ ବସିଛି। ସେହିପରି ସରକାରୀ ବିହନ କୌଣସି ଆପତ୍ତି ଅଭିଯୋଗଥିଲେ ଚାଷୀମାନେ ବ୍ଲକ୍ ଓ ଜିଲ୍ଲା କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।